କନକ ବ୍ୟୁରୋ : ଅପରାଧକୁ ନେଇ ରାଜନୀତି କରୁଥିବା ଓ ବିକାଶରେ ବାଧକ ସାଜୁଥିବା ନେତା କେବେ ବିଧାନସଭା ଫେରିପାରନ୍ତି ନାହିଁ । ବିଧାନସଭାରେ ଗତକାଲି ମୁଖ୍ୟମନ୍ତ୍ରୀ ରଖିଥିବା ଏହି ବିବୃତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment

ଜୟନାରାୟଣ କହିଛନ୍ତି,ଏଥିରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକେଇବାଲାଗି ଚେଷ୍ଟା କରୁଛନ୍ତି ଯେ, ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେ ଏମିତି ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଏଠି ଜନ ବିରୋଧୀ କିଏ ? ନବୀନ ପଟ୍ଟନାୟକ ହେଲେ ସବୁଠୁ ବଡ଼ ଜନ ବିରୋଧୀ । ବିକାଶର ସବୁଠୁ ବଡ଼ ବାଧକ ହେଲେ ନବୀନ ପଟ୍ଟନାୟକ । ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ । ସେ ଯେମିତି ଜନ ବିରୋଧୀ କାମ କରିଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି ।

ଏହାସହ ଜୟନାରାୟଣ କହିଛନ୍ତି, କିଏ ଜିତିବ କିଏ ହାରିବ ସେଇଟା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେନି। ହୁଏତ ସେ ବୁଥ କ୍ୟାପଚର,ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି । ତା ସତ୍ତେ୍ୱ ମଧ୍ୟ ଆମେ ବିଧାନସଭାକୁ ଆସିଛୁ । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ । ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ । ୨୦୦୯ ରୁ ତ ପ୍ଲାନ କରୁଛନ୍ତି ମୋତେ କେମିତି ବିଧାନସଭାରେ ପୁରେଇ ଦେବେନି । ଯିଏ ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ନ ପୁରେଇ ଦେବାକୁ ଚେଷ୍ଟା କରନ୍ତି ନବୀନ ପଟ୍ଟନାୟକ ।

କେବଳ ଏତିକି ନୁହେଁ ଜୟନାରାୟଣ ବାଚସ୍ପତିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଜୟନାରାୟଣ କହିଛନ୍ତି, ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହଁ । ବିଧାନସଭା ନୀତି ଓ ନିୟମ ବିଷୟରେ ସେ କିଛି ଜାଣିଛନ୍ତି କି ? ବିଧାନସଭାରେ ବିରୋଧୀ ଦଳର ନେତାଙ୍କୁ କୁହାଇ ନ ଦେବା, ତାଙ୍କ ମାଇକକୁ କାଟି ଦେବା, ପକ୍ଷପାକ୍ଷିତ କରିବା ଏହା କେଉଁ ନିୟମରେ ଉଲ୍ଲେଖ ଅଛି । ଆମର ଦୁଇ ଜଣ ବିଧାୟକଙ୍କୁ ସେମାନେ ବାହାର କରିଛନ୍ତି ଆମେ କାଲି ତାର ଜୋରଦାର ପ୍ରତିବାଦ କରିବୁ । ଡାଲି କେବଳ ଗୋଟେ ପ୍ରତୀକ ଥିଲା । ଆମ ବିଧାୟକ ମାନେ ଡାଲି ଫୋପାଡ଼ି ନାହାନ୍ତି ଆମେ ଉପହାର ଦେଇଛୁ । ସଂଖ୍ୟା ଗରିଷ୍ଠତା ଅଂହକାରରେ ଅନ୍ଧ ହୋଇ ଯଦି ହାତୀ ଭଳି ଶାରୀରିକ ଶକ୍ତି ନେଇ ପାଗଳାମି କରିବ ସେତେବେଳେ ତାକୁ କାବୁ କରିବା ପାଇଁ ଷଣ୍ଡୁଆସୀ ବ୍ୟବହାର କରାଯିବ । ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହା ନାହିଁ ତାହା କରି ଯିବେ କି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।