ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି । ୨୦୨୪ରେ ଫସଲ କାଟିବୁ, ନବୀନଙ୍କୁ ଶାସନରୁ ହଟାଇବୁ । ଦିଲ୍ଲୀରୁ ଆସିବା ପରେ ଦମ୍ଭୋକ୍ତି ଦେଖାଇଲେ ଜୟନାରାୟଣ ।

227

କନକ ବ୍ୟୁରୋ : ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି , ଫସଲ ହେବ ୨୦୨୪ରେ ଫସଲ କାଟିବୁ । ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ ।  ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଓଡ଼ିଶା ଫେରି କିଛି ଏମିତି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଉ ଜୟନାରାୟଣଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଛି ।

ବିଜେପିର ଫାୟାର ବ୍ରିଗେଡ ନେତା ଭାବେ ଜଣାଶୁଣା ଜୟନାରାୟଣ ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଜୟନାରାୟଣଙ୍କ ଭେଟଘାଟ । ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ଜୟନାରାୟଣ । ଆଉ ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ମିଳିଛି ସହଯୋଗର ପ୍ରତିଶ୍ରୁତି ।

ଧାନ ଅମଳ ଭଳି ସରକାର ଗଢିବାକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହୁଏ । ଆଉ ଏବେ ଆମେ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢୁଛୁ । ଏବେ ବିଲରେ ସାର ସିଞ୍ଚ ନ ହେଉଛି, ୨୦୨୪ରେ ଫସଲ କଟାହେବ ବୋଲି କହିଛନ୍ତି ଜୟନାରାୟଣ । ସେହିଭଳି ଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ ଦିଲ୍ଲୀର ଶୀର୍ଷ ନେତୃତ୍ୱ ଅବଗତ ଅଛନ୍ତି । ତେଣୁ ଆଗକୁ ଓଡ଼ିଶାରେ ସଙ୍ଗଠନକୁ କିଭଳି ମଜବୁତ କରାଯିବ ଓ ମିଶନ-୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ ସେ ବାବଦରେ ଶାହା ଓ ନଡ୍ଡାଙ୍କ ଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତି ଜୟନାରାୟଣ । ତେବେ ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତି ବିଜେପି ଶିବିରରେ ଉତ୍ସାହ ଭରିଛି । କାରଣ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ବିଜେପିର ସାଙ୍ଗଠନିକ ଦକ୍ଷତା ଓ ୨୦୨୪ ପାଇଁ ଦେଖୁଥିବା ସ୍ୱପ୍ନ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଥିଲା ।