ବଲିଉଡ୍ ଅଭିନେତା ରଣବୀର ସିଂ । ସବୁବେଳେ ଭିନ୍ନ ଭିନ୍ନ ଲୁକରେ ଦର୍ଶକ ତାଙ୍କୁ ଦେଖିବାକୁ ପାଆନ୍ତି । ସେ ମଧ୍ୟ ଯେ କୌଣସି ଚରିତ୍ରରେ ଫିଟ୍ ଆସିଯାଆନ୍ତି । ରଣବୀରଙ୍କ ଗୁଜରାଟୀ ତଡକାଯୁକ୍ତ ଫିଲ୍ମ ‘ଜୟେଶଭାଇ ଜୋରଦାର’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମରେ ସେ ଜଣେ ଗୁଜରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ତାଙ୍କ ବିପକ୍ଷରେ ଅର୍ଜୁନ ରେଡ୍ଡୀ ଫେମ୍ ଅଭିନେତ୍ରୀ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ମାଧ୍ୟରେ ଶାଲିନୀ ବଲିଉଡରେ ଡେବ୍ୟୁ କରିବେ । ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ରତ୍ନା ପାଠକ ଓ ବୋମନ ଇରାନୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ମେ ୧୩ରେ ରିଲିଜ ହେବ ।
ଏହା ଭିତରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ସାମାଜିକ ପ୍ରସଙ୍ଗକୁ ବଡ ମଜାଳିଆ ଅନ୍ଦାଜରେ ପ୍ରସ୍ତୁତ କରାଯ।।ଇଛି । ଟ୍ରେଲରରେ ରଣବୀର ତାଙ୍କ ପିତାଙ୍କୁ ନେଇ ବ୍ୟତିବ୍ୟସ୍ତ ଥିବାର ଦେଖାଯାଇଛି । କାରଣ ତାଙ୍କ ପିତା ତାଙ୍କୁ ଏକ ପୁତ୍ର ସନ୍ତାନ ପାଇଁ ବାଧ୍ୟ କରୁଛନ୍ତି । କାରଣ ତାଙ୍କର ଆଗାମୀ ପିଢି ସରପଞ୍ଚ ହେଉ ବୋଲି ସେ ଇଚ୍ଛା କରୁଛନ୍ତି । କାରଣ ବୋମନ୍ ଇରାନୀ ଏପରି ଏକ ଗାଁର ସରପଞ୍ଚ , ଯେଉଁଠାରେ ଝିଅମାନଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ମିଳି ନ ଥାଏ । ଏହି ସମୟରେ ରଣବୀରଙ୍କ ପତ୍ନୀ ଗର୍ଭବତୀ ହୁଅନ୍ତି । କିନ୍ତୁ ପୂର୍ବରୁ ତାଙ୍କର ଏକ ଝିଅ ଥିବାରୁ ଏଥର ଝିଅ ହେଲେ କନ୍ୟାଭ୍ରୂଣ ହତ୍ୟା ହେବ ବୋଲି ସରପଞ୍ଚ କହୁଛନ୍ତି । ଏହା ପରେ ଆରମ୍ଭ ହେଉଛି ପ୍ରକୃତ ସଂଘର୍ଷ । କାରଣ ସରପଞ୍ଚ ଓ ତାଙ୍କ ପତ୍ନୀ ପିଲାଟିକୁ ଗର୍ଭରେ ମାରିଦେବାକୁ ଚାହୁଁଛନ୍ତି । ତେବେ ଏହି ଫିଲ୍ମଟିକୁ ୟଶରାଜ୍ ବ୍ୟାନର ତିଆରି କରୁଛି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦିବ୍ୟାଙ୍ଗ ଠକ୍କର ।