ଜୟଦେବ ଜିତିବ କିଏ ? ଶଶି-ଢ଼ାଲିଙ୍କୁ ନେଇ ବଢୁଛି ଦ୍ୱନ୍ଦ, ବିଜେପି ଓ କଂଗ୍ରେସ ଚିନ୍ତା ବଢ଼ାଉଛନ୍ତି ଅଧ ଡ଼ଜନ ଆଶାୟୀ ।

128

କନକ ବ୍ୟୁରୋ: ଦ୍ୱନ୍ଦ ବଢ଼ାଉଛି ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ । ଆଉ ଏହି ବିଧାନସଭା କ୍ଷେତ୍ରର ବିଧାୟକ ଶଶିଭୂଷଣ ବେହେରା ବର୍ତ୍ତମାନ ରାଜ୍ୟ କ୍ୟାବିନେଟରରେ  ହେଭିୱେଟ୍ ମନ୍ତ୍ରୀ  । ତିନି ତିନିଟି ଗୁରୁତ୍ବପୂର୍ଣ୍ଣ ବିଭାଗ ତାଙ୍କ ହାତରେ । କିନ୍ତୁ ଶଶି ବେହେରା ଏଥର ବିଜେଡିରୁ ପ୍ରାର୍ଥୀ ହେବା ନିଶ୍ଚିତ ତ ? ଏହାର ଉତ୍ତର ଜୟଦେବ ନିର୍ବାଚନମଣ୍ଡଳୀରେ ତାଙ୍କ କର୍ମୀମାନେ ବି ଖୋଜୁଛନ୍ତି ।

ଶଶିଭୂଷଣଙ୍କ ପ୍ରାର୍ଥିତ୍ବ ନେଇ ସମର୍ଥକମାନଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି । କାରଣ ଅତୀତରେ ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି ଓ ଶଶିଭୂଷଣ ନିଜେ ମଧ୍ୟ ବିନା କାରଣରେ ଟିକେଟରୁ ବଞ୍ଚିତ ହୋଇଛନ୍ତି । ଏଥର ବିଜେଡିରେ ଟିକେଟ୍ ପାଇଁ ଅନ୍ୟ ଦାବିଦାର ଥିଲା ବେଳେ କଂଗ୍ରେସ ଓ ବିଜେପିରୁ ବି ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ୨୦୦୯ ପର ଠାରୁ ଜୟଦେବ ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ଦୁର୍ଗ ଭାବେ ରହିଆସିଛି।

ବିଗତ ନିର୍ବଚନ ଗୁଡ଼ିକୁ ଅନୁଧ୍ୟାନ କଲେ ୨୦୦୪ରେ ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ବିଜୟୀ ହୋଇଥିଲେ । କିନ୍ତୁ ୨୦୦୯ରେ ନାଟକୀୟ ଘଟଣାକ୍ରମେ ଶଶିଙ୍କ ଟିକେଟ୍ କଟିଯାଇଥିଲା । ବିଜେପିରୁ ବିଜେଡିକୁ ଆସିଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ବିଜେଡି ଟିକେଟ୍ ମିଳିଥିଲା । ଢାଲି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ଶଶିଭୂଷଣଙ୍କୁ ରାଜ୍ୟସଭାକୁ ପଠାଯାଇ ଥଇଥାନ କରାଯାଇଥିଲା । କିନ୍ତୁ ୨୦୧୪ରେ ଢାଲିଙ୍କ ଉପରେ ବିଜେଡି ସୁପ୍ରିମୋ ଆସ୍ଥା ପ୍ରକଟ କରି ନ ଥିଲେ । ପୁନର୍ବାର ଶଶିଙ୍କୁ ଫେରାଇ ଆଣି ଟିକେଟ୍ ଦିଆଯାଇଥିଲା ।  କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇଙ୍କୁ ସେ ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରି ରାଜ୍ୟ ରାଜନୀତିକୁ ପୁଣି ପ୍ରବେଶ କଲେ । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ବସନ୍ତ ନାୟକ ତୃତୀୟ ସ୍ଥାନରେ ଥିଲେ ।

ଏଥର ବିଜେଡି ଟିକେଟ୍ ପାଇଁ ଶଶିଭୂଷଣ ପ୍ରମୁଖ ଦାବିଦାର ଅଛନ୍ତି। ତାଙ୍କୁ ଏବେ ମନ୍ତ୍ରିମଣ୍ଡଳରେ ବହୁ ଗୁରୁଦାୟିତ୍ବ ଦିଆଯାଇଥିବାରୁ ସୁପ୍ରିମୋଙ୍କ ବିଶ୍ବାସଭାଜନ ହୋଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ତେଣୁ କୌଣସି ପରିସ୍ଥିତିରେ ତାଙ୍କ ଟିକେଟ୍ କଟିବ ନାହିଁ ବୋଲି ସେମାନଙ୍କ ଯୁକ୍ତି। କିନ୍ତୁ ରାଜ୍ୟସ୍ତରରେ ବିଜେଡିର ଗୋଟିଏ ଗୋଷ୍ଠୀ ଅରବିନ୍ଦ ଢାଲିଙ୍କୁ ଆଗକୁ ନେଉଥିବା ଚର୍ଚ୍ଚା ଚାଲିଛି । ଢାଲି ଏବେ ଜୟଦେବ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବା ସହ ନବୀନ ନିବାସ ଓ ତୃତୀୟ ମହଲାରେ ତାଙ୍କ ଉପସ୍ଥିତି ବି ଦେଖିବାକୁ ମିଳୁଛି।

ଲଗାତର ଭାବେ କଂଗ୍ରେସ ଏଠାରେ ପରାଜୟ ବରଣ କରୁଥିଲେ ବି ଦଳରୁ ଆଶାୟୀଙ୍କ ସଂଖ୍ୟା କିଛି କମ୍ ନାହିଁ । ପୂର୍ବ ଥର ପ୍ରାର୍ଥୀ ଥିବା ବେଣୁଧର ଭୋଇ ଏଥର ମଧ୍ୟ ପ୍ରମୁଖ ଦାବିଦାର ଅଛନ୍ତି। ସେହିପରି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ରାଘବ ସେଠୀ ମଧ୍ୟ ଏଠାରେ ଟିକେଟ୍ ପାଇଁ ରେସରେ ଅଛନ୍ତି । ଏହା ବାଦ୍ ପୂର୍ବରୁ ପ୍ରାର୍ଥୀ ହୋଇଥିବା ନଳିନୀ ବେହେରାଙ୍କ ସମେତ ଯୁବ ନେତା ତାପସ ସେଠୀ, ଜୟନ୍ତ ଭୋଇ, ବାହନ ଭୋଇ ଓ ରବୀନ୍ଦ୍ର ସେଠୀ ପ୍ରମୁଖ ଟିକେଟ୍ ଦୌଡ଼ରେ ଅଛନ୍ତି।

ଗତ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲେ ବି ଏଥର ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଜୋରଦାର୍ ମୁକାବିଲା କରିବ ବୋଲି ଦଳୀୟ ନେତୃତ୍ବ ଆଶାବାଦୀ ଅଛନ୍ତି । ଗତଥର ପ୍ରାର୍ଥୀ ହୋଇଥିବା ବସନ୍ତ କୁମାର ନାୟକ ଏଥର ଟିକେଟ୍ ଦୌଡ଼ରେ ଆଗରେ ଅଛନ୍ତି । ବିଜେପିର ଆଉ ଦୁଇ ଜଣ ନେତା ନରେନ୍ଦ୍ର ନାୟକ ଓ ମାଗୁଣି ସେଠୀ ମଧ୍ୟ ଟିକେଟ୍ ଲବି ପାଇଁ ବଳ କଷୁଛନ୍ତି । କାରଣ ରାଜଧାନୀ ଛାତି ଉପରୁ କିଛି ଦୂର ଏହି ନିର୍ବାଚନ କ୍ଷେତ୍ରରେ ଉଭୟ ବିଜେଡି ଓ କଂଗ୍ରେସକୁ ମାତ୍ ଦେବାକୁ ମୋଦି ମ୍ୟାଜିକ୍ କାମ ଦେବ ବୋଲି ବେଶ୍ ଆଶାୟୀ ଅଛନ୍ତି ଗେରୁଆ କ୍ୟାମ୍ପ ।