କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାମଚନ୍ଦ୍ରପୁର ଗାଁର ଜୟଶ୍ରୀ ବସନ୍ତିଆ କରିଛନ୍ତି ଉନ୍ନତ ମାନର କୁକୁଡା ଫାର୍ମ । ଜୟଶ୍ରୀ ଜଣେ ଗୃହିଣୀ ହୋଇଥିବା ବେଳେ ପ୍ରଥମେ କିଛି କୁକୁଡ଼ା ରଖି ପରିବାର ପ୍ରତିପୋଷଣରେ ସହଯୋଗ କରୁଥିଲେ । ଘରର ଅର୍ଥିକ ସ୍ଥିତି ସୁଧାରିବା ପାଇଁ ତାଙ୍କ ମନରେ ଥିବା ସ୍ୱପ୍ନ ଏବେ ପୁରଣ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସେ ଏକ ପରିବେଶ ନିୟନ୍ତ୍ରିତ କୁକୁଡା ଫାର୍ମ କରିଛନ୍ତି । ଏହି ଫାର୍ମରେ କୁକୁଡ଼ା ମାନଙ୍କୁ ଖାଦ୍ୟ ଓ ପାନୀୟ ଠାରୁ ଆରମ୍ଭ କରି ସମସ୍ତ କାମ ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ହୋଇଥାଏ ।

ନିଜ ଘର ନିକଟରେ ଏକ ଜମିକୁ ଲିଜରେ ନେଇ ସେ ଏହି ଫାର୍ମ କରିଛନ୍ତି । ଜୟଶ୍ରୀ ପ୍ରତିଷ୍ଠା କରିଥିବା କୁକୁଡା ଫାର୍ମରେ ପ୍ରାୟ ୯୫ ଲକ୍ଷ ୫୫ ହଜାର ଟଙ୍କ ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ତାଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଫିକ୍ସ ଆସେଟ୍ ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଫାର୍ମ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ପୁରୁଷ ହିତାଧୀକାରି ମାନଙ୍କୁ ୪୦ ପ୍ରତିଶତ ଏବଂ ମହିଳା ହିତାଧୀକାରି ମାନଙ୍କୁ ୫୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।

ଏହି ଫାର୍ମରେ ଏକା ସାଙ୍ଗରେ ୧୨ ହଜାର ୫୦୦ କୁକୁଡା ପାଳନ କରାଯିବାର ବ୍ୟବସ୍ଥା ରହିଛି । କୁକୁଡା ଚିଆଁ ୪୦ ଦିନ ମଧ୍ୟରେ ବିକ୍ରି ଯୋଗ୍ୟ ହେବା ସହିତ ବର୍ଷକୁ ୭ଟି ବ୍ୟାଚ୍ କୁକୁଡା ଏହି ଫାର୍ମରୁ ବାହାରି ପାରିବେ । ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ କୁକୁଡା ମାନଙ୍କୁ ଖାଦ୍ୟ ଏବଂ ପାନିୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ସହିତ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ ରହିଛି ।