କନକ ବ୍ୟୁରୋ : ଝିଅକୁ ଝୁରିଝୁରି ଶେଷ ହୋଇଗଲା ଗୋଟିଏ ପରିବାର । ଝିଅ ମୃତ୍ୟୁର ୨ ବର୍ଷ ପରେ ଆରପାରିକୁ ଚାଲିଗଲେ ବାପା-ମାଆ । ୨୪ ଘଂଟା ଭିତରେ ଆଗପଛ ହୋଇ ଚାଲିଗଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ ଆତ୍ମହତ୍ୟା କରିବାର କେଇ ଘଂଟା ନପୁରୁଣୁ ବିଷ ପିଇ ଜୀବନ ହାରିଦେଲେ ସ୍ତ୍ରୀ । ୪ ବର୍ଷର ଝିଅ ମୃତ୍ୟୁର ୨ ବର୍ଷ ଭିତରେ ଆରପାରିକୁ ଚାଲିଗଲେ ବାପାମାଆ । ଦିନ କେଇଟାରେ ସଫା ହୋଇଗଲା ଗୋଟିଏ ପରିବାର ।

Advertisment

ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ଜୟପୁର ସହରର ପଚାଂନନ ମନ୍ଦିର ନିକଟରେ ରହୁଥିବା ବିଜୟ ନାୟକ ବାରିଣିପୁଟ ଗାଁର ଚଂଚଳା ମାଝୀଙ୍କୁ ବିବାହ କରିଥିଲେ । ସେମାନଙ୍କ ଝିଅଟିଏ ବି ହୋଇଥିଲା । ବିଜୟ ଗୁମୁସ୍ତା କାମ କରୁଥିଲେ, ସ୍ତ୍ରୀ ଅଙ୍ଗନୱାଡ଼ି କର୍ମୀ ଥିଲେ । ଉଭୟଙ୍କ ଘର ଜୟପୁର ସହର ଭିତରେ ରହିଥିଲେ ସୁଧା, ଏମାନେ ସହର ଠାରୁ ମାତ୍ର ୩ କିମି ଦୁରରେ ବ୍ରାହ୍ମଣୀ ଗାଁରେ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ଚଂଚଳା ମାଝୀ ଅଙ୍ଗନୱାଡ଼ି କର୍ମୀ ରୁପେ କାର୍ଯ୍ୟ ତୁଲାଉଥିଲେ ।

୨ ବର୍ଷ ତଳେ ହଠାତ୍ ତାଙ୍କ ଝିଅକୁ ଜ୍ୱର ହେବାରୁ ତାର ମୃତ୍ୟୁ ହୋଇଥିଲା । ଝିଅ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ବାପା ବିଜୟ । ସେହି ଦୁଃଖରୁ ନିଜକୁ ଦୁରେଇ ପାରିଲେ ନାହିଁ । ଶେଷରେ ଗତ ୧୧ ତାରିଖରେ ସେ ଜଗନ୍ନାଥ ସାଗର ପାଖେରେ ଆତ୍ମହତ୍ୟା କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ବିଜୟଙ୍କ ଶବ ସକ୍ରାର ପାଇଁ ପଠାଇଥିବା ବେଳେ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ତେବେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।