ଅଭି ବି ପିକଚର ବାକି ହେ !! ଜୟା ବଚ୍ଚନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଜୟାପ୍ରଦା : ବଲିଉଡ ଷ୍ଟାରଙ୍କ ମଧ୍ୟରେ ଦେଖାଗଲା ସାଙ୍ଘାତିକ ମତାନ୍ତର

1,034

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ଦେଖିଲେ ଲାଗୁଛି, ପିକ୍ଚର ଏବେ ବି ବାକି ଅଛି । ପ୍ରତିଦିନ ନୂଆ ବୟାନ ଓ ନୂଆ ଟ୍ୱିଟ୍ ସାମ୍ନାକୁ ଆସୁଛି । ଏବେ କଙ୍ଗନାଙ୍କ ସହ ଜୟା ବଚ୍ଚନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଜୟାପ୍ରଦା ।  ଦମ ମାରୋ ଦମ୍… ବଲିଉଡର ଚମକପ୍ରଦ ଚରିତ୍ର । ଆଖିକୁ ଝଲସାଇ ଦେଲାଭଳି ଏହି ଚମକ ଧମକ ପଛରେ କଣ ରହିଛି । କଣ ଏଠାରେ ଡ୍ରଗ୍ସ ଓ ଶୋଷଣର କଳା କାରନାମ ଲୁଚି ରହିଛି ।

ନା ସ୍ୱପ୍ନକୁ ସାକାର କରିବାର ଅଛି ସୁଯୋଗ । ଏହାକୁ ନେଇ ମତ ବିଭାଜନ ଦେଖା ଦେଇଛି । ଫିଲ୍ମ ଦୁନିଆ ଦୁଇଫାଳ ହୋଇଯାଇଛି । ବଲିଉଡ ଷ୍ଟାରଙ୍କ ଭିତରେ ମତାନ୍ତର ରହିଛି । ଏହି ମତ ବିଭାଜନ ଦିନକୁ ଦିନ ଆହୁରି ଗଭୀର ଓ ଫର୍ଚ୍ଚା ହେବାକୁ ଲାଗିଛି ।

କଙ୍ଗନା ରଣାୱତ- ବଲିଉଡ ଏକ ନର୍ଦ୍ଦମା
ରବି କିଷନ- ଡ୍ରଗ୍ସରୁ ବଲିଉଡକୁ ମୁକ୍ତ କରିବୁ
ଜୟା ବଚ୍ଚନ- ଯେଉଁ ଥାଳିରେ ଖାଉଛନ୍ତି ତାକୁ କଣା କରୁଛନ୍ତି
ହେମା ମାଳିନୀ- ଇଣ୍ଡଷ୍ଟ୍ରିକୁ ବଦନାମ କରାନଯାଉ
ଜୟାପ୍ରଦା- ଡ୍ରଗ୍ସ ବଲିଉଡର ବାସ୍ତବତା
ମନୋଜ ବାଜପେୟୀ- କେହି ତାର ଉଦ୍ଦେଶ୍ୟ ପୂରଣ କରୁଛି

କଙ୍ଗନା/ଜୟା ବଚ୍ଚନ… ଦୁଇଟି ଗୋଷ୍ଠୀ । ଦୁଇ ପ୍ରକାର ମତ । ଏହା ବଲିଉଡକୁ ଏକ ପଜଲ କରି ପକାଇଛି । କଙ୍ଗନା… ପ୍ରଥମରୁ କେବଳ କଙ୍ଗନା ହିଁ ବଲିଉଡକୁ ଟାର୍ଗେଟ କରୁଥିଲେ । ଏହି ଚମକ ଧମକ ପଛରେ ଲୁଚି ରହିଥିବା କଳା ସତ ଆଡକୁ ଇସାରା କରୁଥିଲେ । ରବି କିଷନ… ବଲିଉଡକୁ ନେଇ ଏହି ବିବାଦ ସେତେବେଳେ ସଂଗୀନ ହେଲା, ଯେତେବେଳେ ଏହା ବଲିଉଡର ଚଉହଦୀକୁ ଡେଇଁ ସଂସଦର ସରହଦରେ ପାଦ ରଖିଲା ।

ରବି/ଜୟା… ପ୍ରଥମେ ରବି କିଷନ ଏହି ପ୍ରସଙ୍ଗ ଉଠାଇବା ପରେ ଜୟା ବଚ୍ଚନ ନିଆଁବାଣ ହୋଇପଡିଲେ । ଆଉ ଜୟା ବଚ୍ଚନଙ୍କୁ ସବୁଟାରୁ ବଡ ସମର୍ଥନ ମିଳିଲା ହେମା ମାଳିନୀଙ୍କଠାରୁ । ଯିଏ ବିଜେପିର ସାଂସଦ । ସେହି ବିଜେପି, ଯିଏ କଙ୍ଗନାଙ୍କ ସହ ଦୃଢତାର ସହ ଛିଡା ହୋଇଥିବା କୁହାଯାଉଛି । ଜୟାଙ୍କୁ ଆହୁରି କିଛି କଳାକାରଙ୍କ ସମର୍ଥନ ବି ମିଳିଛି, ଯେଉଁମାନେ ମୂଳରୁ କଙ୍ଗନାଙ୍କୁ ବିରୋଧ କରିଆସୁଛନ୍ତି ।

ଜୟା ବଚ୍ଚନ… ଜୟା ବଚ୍ଚନଙ୍କ ସହ ଛିଡା ହୋଇଥିବା ଗୋଟିଏ ଗୋଷ୍ଠୀ କହୁଛନ୍ତି, ଆପଣ ପୁରା ବଲିଉଡକୁ ଡ୍ରଗ୍ସର ନର୍ଦ୍ଦମା କହିପାରିବେନି । ହେଲେ ରବି କିଷନଙ୍କୁ ସାଥ ମିଳିଛି ସମାଜବାଦୀ ପାର୍ଟିରୁ ବିଜେପିକୁ ଆସିଥିବା ଜୟାପ୍ରଦାଙ୍କର । ସେ ମଧ୍ୟ ବଲିଉଡକୁ ରବି କିଷନଙ୍କ ନଜରରେ ଦେଖୁଛନ୍ତି ।

କଙ୍ଗନା… ଅଭିନତ୍ରେୀ କଙ୍ଗନା ରଣାୱତ ଆଜି ବଲିଉଡରେ ଖୁବ ନାଁ କରିଛନ୍ତି । ହେଲେ ଏହିବର୍ଷ ମାର୍ଚ୍ଚରେ ସେ ୟୁ-ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ବଲିଉଡକୁ ବେପରଦା କରୁଥିବା କୁହାଯାଉଛି ।

ଜୟା/କଙ୍ଗନା… ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ପ୍ରତ୍ୟେକ ଦିନ ଆସୁଥିବା ପ୍ରତିକ୍ରିୟାକୁ ଦେଖିଲେ ଲାଗୁଛି, ବଲିଉଡ ଏବେ ଭାଗ ଭାଗ ହୋଇସାରିଛି । ଷ୍ଟାର ପରିବାରରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଆଗକୁ ଆହୁରି ବଢିବା ଆଶଙ୍କା ଜଳଜଳ ଦେଖାଯାଉଛି । ଟିକା ଟିପ୍ପଣୀ ଆଗକୁ ଆହୁରି ତୀବ୍ରହେବ, ଯାହା ଶାଳୀନତାର ସୀମା ଲଂଘିବା ଆଶଙ୍କା ବି କରାଯାଉଛି ।