ପରଲୋକରେ ଜୟନ୍ତୀ ପଟ୍ଟନାୟକ । ୯୦ ବର୍ଷ ବୟସରେ ପରଲୋକ ।

ଓଡିଶାରୁ ଲୋକସଭାକୁ ପ୍ରଥମ ମହିଳା ଭାବେ ହୋଇଥିଲେ ନିର୍ବାଚିତ ।

346

କନକ ବ୍ୟୁରୋ: ପରଲୋକରେ ଜୟନ୍ତୀ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କଟକ ଓ ବ୍ରହ୍ମପୁରର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ଖାଲି ସେତିକି ନୁହେଁ ଜାତୀୟ ମହିଳା କମିଶନରର ମଧ୍ୟ ସେ ପ୍ରଥମ ଅଧ୍ୟକ୍ଷା ରହିଥିଲେ ।

ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ ପଟ୍ଟନାୟକ । ସେ ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ମଧ୍ୟ ଥିଲେ । ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।

ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତ ଧରିଥିଲେ ।

ରାଜନୀତି କ୍ୟାରିୟରରେ ସେ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୪ରେ ଦ୍ୱିତୀୟ ଥର କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ସେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

ପ୍ରଥମ ଓଡିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ଓଡିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରହିଥିଲେ ।