ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ରଙ୍କ ସୂଚନା: ଡାକ୍ତର ଜୟନ୍ତ ପଣ୍ଡା କହିଲେ, ବର୍ତ୍ତମାନ ଷ୍ଟେଜ୍-୩ ପାଦଦେଶରେ ରହିଛି ଓଡ଼ିଶା; ପ୍ରବାସୀ ଓଡ଼ିଆଙ୍କ ପାଇଁ ବଢ଼ିଚାଲିଛି କରୋନା ସଂକ୍ରମଣ

2,247

କନକ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆସିଲା ବଡ ସଂକେତ । ରାଜ୍ୟରେ କରୋନା ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ପାଦ ଦେଶରେ ଥିବା ନେଇ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଷ୍ଟେଜ୍-୩ ପାଦଦେଶରେ ରହିଛି ଓଡ଼ିଶା। ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସିକ ଜୟନ୍ତ ପଣ୍ଡା। ତେବେ ହଟସ୍ପଟ୍ ଏରିଆରୁ ଆସିଥିବାରୁ ପଜିଟିଭ୍ ରହିବା ସ୍ବାଭାବିକ ତେଣୁ ଏଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ କି କରୋନା ମହାମାରୀକୁ ନେଇ ଡ଼ରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି । ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କରିବାକୁ ପଡ଼ିବ ଏବଂ ରୋଗ ପ୍ରତିଷେଧକ ଶକ୍ତି ହିଁ ଆମକୁ କରୋନା ସଂକ୍ରମଣରୁ ରୋକିପାରିବ ବୋଲି ବରିଷ୍ଠ ଚିକିତ୍ସକ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଆଜି ୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଟପିଛି । ଏବେ ୩୫୨ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି ।  ଆଜି ଗଂଜାମର ୨୯, ବାଲେଶ୍ୱରର ୧୫, ଅନୁଗୁଳ ୧୩, ମୟୂରଭଂଜରେ ଜଣେ ପଜିଟିଭ ଚିହ୍ନଟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସୁରତ ଲିଙ୍କ ରହିଛି । ମୟୂରଭଂଜ ଆକ୍ରାନ୍ତ ବି ସୁରତ ଫେରନ୍ତା । ସେହିଭଳି ବାଲେଶ୍ୱରର ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିଛି । ବାଲେଶ୍ୱରରେ ଆଜିର ୧୫ ଜଣଙ୍କୁ ନେଇ ଆକ୍ରାନ୍ତଙ୍କ ତାଲିକା ୪୨କୁ ବୃଦ୍ଧି ହୋଇଛି । ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟ ୧୦ କୋଲକାତାରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଅନୁଗୁଳରେ ୧୩ ନୂଆ ଆକ୍ରାନ୍ତ ଥିବା ବେଳେ ମୟୂରଭଂଜରେ ନୂଆ ଜଣେ ପଜିଟିଭକୁ ନେଇ ଆକ୍ରାନ୍ତ ତାଲିକା ୮ରେ ପହଂଚିଛି ।