କନକ ବ୍ୟୁରୋ : ସର୍ବଧର୍ମ ସମ୍ପର୍ଣ୍ଣ ସମାଜବାଦ ରାଷ୍ଟ୍ରରେ ଯୋଗୀଙ୍କ ନେମପ୍ଲେଟ ଲଗାଇବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଏନଡିଏର ସହଯୋଗୀ ଦଳମାନେ । କାଉଡିଆ ଯାତ୍ରା ଯାଉଥିବା ରାସ୍ତାରେ ଦୋକାନୀମାନେ ସେମାନଙ୍କ ଦୋକାନରେ ନେମପ୍ଲେଟ ଲଗାଇବା ନିଷ୍ପତ୍ତି ଯୋଗୀ ସରକାର ନେବା ପରେ ଏହାକୁ ନେଇ ଏନଡିଏ ଭିତରେ କନ୍ଦଳ ଆରମ୍ଭ ହୋଇଛି । ପ୍ରଥମେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏହାକୁ କଡା ଭାଷାରେ ନିନ୍ଦା କରିବା ସହ କହିଛନ୍ତି କି, ଦେଶରେ କଣ ପ୍ରତିଟି ଲୋକ ତାର ପୋଷାକରେ ନେମ୍ ପ୍ଲେଟ ଲଗାଇ ବୁଲିବ କି ? ଜୟନ୍ତ ଚୌଧୁରୀ କହିଛନ୍ତି କି, ଏଭଳି ପ୍ରସଙ୍ଗକୁ ଧର୍ମ ଓ ରାଜନୀତି ସହ ଯୋଡି ଦେଖିବାର ଆବଶ୍ୟକତା ନାହିଁ । କାରଣ କାଉଡିଆମାନେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ରାସ୍ତରେ ବିଭିନ୍ନ ଧର୍ମର ଲୋକ ସେବା ଦେଇଥାନ୍ତି । ଏହାସହ ସେ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ରାଜ୍ୟ ସରକାର ବିନା ବିଚାର ବିମର୍ଷରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ଏବେ ବି ସମୟ ଅଛି ଯୋଗୀ ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ।

Advertisment

କେବଳ ଜୟନ୍ତ ଚୌଧୁରୀ ନୁହଁନ୍ତି ଏନଡିଏର ସହଯୋଗୀ ଦଳ ଜେଡିୟୁ ମଧ୍ୟ ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି । ଜେଡିୟୁ ନେତା କେସି ତ୍ୟାଗି କହିଛନ୍ତି କି, ଉତ୍ତରପ୍ରଦେଶ ଠାରୁ କାଉଡିଆଙ୍କ ବଡ ଯାତ୍ରା ବିହାରରେ ହୋଇଥାଏ । ହେଲେ ବିହାରରେ କେବେ ବି ଏଭଳି ଆଦେଶ ପାରିତ ହୋଇନାହିଁ । ଏହା ମୋଦୀ ସରକାରଙ୍କ ସବକା ସାଥ୍ ସବକା ବିକାଶର ବିରୋଧ ବୋଲି ସେ କହିଛନ୍ତି । ସେହିଭଳି ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଯୋଗୀ ସରକାରଙ୍କ ଏଭଳି ଆଦେଶକୁ ବିରୋଧ କରିଛନ୍ତି । ସେ ଯୋଗୀ ସରକାରଙ୍କ ଏଭଳି ଆଦେଶ ଉପରେ ପୁନଃବିଚାର କରିବାକୁ ପରାମର୍ଶ ଦେଇଛନ୍ତି ।
ଏନଡିଏ ସହ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀଦଳମାନେ ଯୋଗୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଏହା ଦେଶର ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି । ଏସବୁ ଭିତରେ ଏହି ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ଆସନ୍ତାକାଲି ଅର୍ଥାତ ସୋମବାରଦିନ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ଜଣାପଡିଛି ।