ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ମିଳିବା ପରେ ବିଜେପି ସହ ମେଣ୍ଟ କରିବାକୁ ରାଜି ହେଲେ ଜୟନ୍ତ ଚୌଧୁରୀ । ଜାଣନ୍ତୁ ପୁରସ୍କାରକୁ ନେଇ କଣ କହିଲେ

304

କନକ ବ୍ୟୁରୋ : ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏବେ ବିଜେପି ସହ ମେଣ୍ଟ କରିବା ନେଇ ପ୍ରସ୍ତୁତ ହୋଇଛନ୍ତି । ଶୁକ୍ରବାର ଦିନ ମୋଦୀ ସରକାର ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ସରକାରଙ୍କର ଏହି ଘୋଷଣା ପରେ ଜୟନ୍ତ ଚୌଧୁରୀ ଭାବୁକ ହୋଇପଡିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ଗଣମାଧ୍ୟମ ଆରଏଲଡି ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ପ୍ରଶ୍ନ ପଚାରିବାରୁ ଜୟନ୍ତ ଚୌଧୁରୀ କହିଛନ୍ତି କି, ଏବେ କେଉଁ ମୁହଁରେ ମନା କରିବି ।

ଏହାସହ ସେ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିବା ନେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଭାବନାକୁ ସମ୍ମାନ କରନ୍ତି । ଚୌଧୁରୀ ଚରଣ ସିଂଙ୍କ ନାମ ଭାରତ ରତ୍ନ ପାଇଁ ମନୋନୀତ କରି ପ୍ରଧାନମନ୍ତ୍ରୀ ଦେଶର କୃଷକ ଓ ଶ୍ରମିକଙ୍କୁ ସମ୍ମାନୀତ କରିଛନ୍ତି ।

ସେପଟେ ଆରଏଲଡି ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ଥିଲା । ଏହାପରେ ଇଣ୍ଡିଆ ମେଣ୍ଟରେ ଚୌଧୁରୀ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । ଏସବୁ ଭିତରେ ଉତ୍ତର ପ୍ରଦେଶରେ ଆରଏଲଡି ସମାଜବାଦୀ ପାର୍ଟି ମଧ୍ୟରେ ଏକ ପ୍ରକାର ଆସନ ବୁଝାମଣା ମଧ୍ୟ ସରିଥିଲା । ହେଲେ ଜେଜେ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବା ପଛରେ ଆରଏଲଡିକୁ ଏନଡିଏରେ ସାମିଲ କରିବା ଭଳି ମନ୍ଦ ଉଦ୍ଦେଶ୍ୟ ବିଜେପିର ରହିଛି ବୋଲି ବିରୋଧୀ ଦାବି କରିଛନ୍ତି ।