ସୌମ୍ୟଙ୍କ ସମର୍ଥନରେ ବାହାରିଲେ ଜୟନାରାୟଣ । କହିଲେ,ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବ୍ଲାକମେଲର କହୁଛନ୍ତି, ସୌମ୍ୟଙ୍କ ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି?

139

କନକ ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା ପରେ ସାମ୍ନାକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ହେଉଥିବା ରାଜନୈତିକ ବୟାନକୁ ବିରୋଧ କରୁଛନ୍ତି ବୋଲି କହିଥିଲେ । ଏପଟେ ସୌମ୍ୟରଂଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାର ଉତର ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା । ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ, ଯାହା ଚିନ୍ତାର ବିଷୟ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । କିନ୍ତୁ ଏହାର ଉତ୍ତର କାହିଁକି ରଖୁନି ବିଜେଡି । ଏଥିସହ ବିଜେଡି ନେତାମାନେ ଫାଇଭ-ଟି ସଚିବଙ୍କ ଗୋଡ଼ାଣିଆ ସାଜିଥିବା କହି ଅତି କଡ଼ା ଭାଷାରେ ଆକ୍ଷେପ କରିଛନ୍ତି ।

ଜୟନାରାୟଣ କହିଛନ୍ତି, ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ । ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତ ଅଧିକ ଟଙ୍କା ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ ପଟ୍ଟନାୟକ, ଯାହାକି ଚିନ୍ତାର ବିଷୟ କିନ୍ତୁ ପରୋକ୍ଷରେ ଲାଞ୍ଚ ଆକାରରେ ଯେଉଁ ଟଙ୍କା ଦିଆଯାଉଛି । ତାହାର ଅନୁସନ୍ଧାନ ହେବା କଥା । ପାଣ୍ଡିଆନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କଥା । ନିଜକୁ ନିଜେ ପାଣ୍ଡିଆନ ସୁପର ସିଏମ୍ ବୋଲି ଦର୍ଶାଉଛନ୍ତି । ସେ ଉପରେ ବିଜେଡି କାହିଁକି କିଛି କହୁନି?

୫-ଟି, ଦୁର୍ନୀତି ଉପରେ ଯେଉଁ ମାନେ କହୁଛନ୍ତି ସେମାନଙ୍କୁ ପାଗଳ, ବ୍ଲାକମେଲର କହୁଛନ୍ତି । ମୋତେ ପାଗଳ ବୋଲି କହୁଛନ୍ତି । ଆଜି ପର୍ଯ୍ୟନ୍ତ କାହିଁକି କହୁନଥିଲେ, ଚୁପ କାହିଁକି ରହିଥିଲେ। ଏବେ କାହିଁକି କହୁଛନ୍ତି । ଯେଉଁ କଥା ଓଡ଼ିଶା କିମ୍ବା ଭାରତ ଇତିହାସରେ ଦେଖାଯାଇ ନାହିଁ ସେଗୁଡିକ ବିଜେଡ଼ି ସରକାରରେ ଦେଖିବାକୁ ମିଳୁଛି । ବିଜେଡ଼ି ନେତା ଯେଉଁ ଭଳି ଆଚରଣ ଜଣେ ସରକାରୀ କର୍ମଚାରୀ ପ୍ରତି କରୁଛି, ସେଥିରୁ ଜଣାପଡୁଛି ଯେ ସେମାନେ ନିଜ ମୁଣ୍ଡକୁ ବିକ୍ରି କରି ଦେଇଛନ୍ତି । ସ୍ୱାଭିମାନ ଓ ଆତ୍ମ ସମ୍ମାନକୁ ଜଳାଞ୍ଜଳି ଦେଇ ଦେଇ ଅଫିସର ପାଖରେ ଶରଣ ପଶିଛନ୍ତି ବିଜେଡ଼ି ନେତା ।