କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ନବ ଦାସଙ୍କ ହତ୍ୟା ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି କକ୍ଷତ୍ୟାଗ କରିଛନ୍ତି । ସେହିଭଳି ସମାନ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି । ବିଜେପି କକ୍ଷତ୍ୟାଗ କରିବା ସହ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାରଙ୍କର ଜଣେ ମନ୍ତ୍ରୀଙ୍କୁ ସରକାର ମାରିଲେ । ପୋଲିସ ତ ସରକାରଙ୍କର ଅଂଶବିଶେଷ । ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ହତ୍ୟା କରାଯାଉଛି ସେତେବେଳେ ସାଧାରଣ ଜନତାଙ୍କର ସୁରକ୍ଷା କିଏ କରିବ । ମନ୍ତ୍ରୀଙ୍କର ହତ୍ୟା କରାଯାଉଛି ଓ ତଦନ୍ତ ଯେତେବେଳେ ଠିକ୍ ଢଙ୍ଗରେ କରାଯାଉନି ତାହା ହେଲେ ରାଜ୍ୟର ଭବିଷ୍ୟତ କଣ ହେବ । ମନ୍ତ୍ରୀଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯଥେଷ୍ଟ କି? ସଠିକ ଢଙ୍ଗରେ ତଦନ୍ତ ହେଉନଥିବାରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଛି । ଏହି ପ୍ରସଙ୍ଗରେ ଆମର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବନି । ଆଗକୁ ଏହା ଆହୁରି ଶାଣିତ ହେବ, ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଘୋଷଣା କରୁନୁ ବୋଲି କହିଛନ୍ତି ଜୟନାରାୟଣ ।
ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାରଙ୍କର ଗୋଲାପୀ ଚିତ୍ର ଅଙ୍କା ଯାଇଛି । ଓଡ଼ିଶାରେ ଯାହା ବିକାଶ ହୋଇଛି ତାହା ବିଶ୍ୱସ୍ତରୀୟ ବୋଲି କୁହାଯାଉଛି । କିନ୍ତୁ ବାସ୍ତବ କଥା ଭିନ୍ନ । ଯେଉଁଠି ଅସତ୍ୟ କଥା ପ୍ରଦର୍ଶିତ କରାଯାଉଛି, ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ତାହାକୁ ଗ୍ରହଣ କରିବ ନାହିଁ ବିଜେପି । ଯେହେତୁ ରାଜ୍ୟପାଳଙ୍କ ମୁହଁରେ ଏସବୁ ମିଛ କଥା କୁହାଯାଉଛି ତେଣୁ ଆମେ କକ୍ଷତ୍ୟାଗ କଲୁ ବୋଲି କହିଛନ୍ତି ମୋହନ ମାଝୀ ।
Follow Us