ନବୀନ ହେଉଛନ୍ତି ସବୁଠୁ ବଡ ଜନବିରୋଧୀ, ତାଙ୍କ ୨୩ ବର୍ଷ ଶାସନ କାଳରେ ଓଡ଼ିଶା ପଛୁଆ ରାଜ୍ୟରେ ପରିଣତ ହୋଇଛି । ଜନବିରୋଧୀ ବୟାନକୁ ବର୍ଷିଲେ ଜୟନାରାୟଣ ।

116

କନକ ବ୍ୟୁରୋ : ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ ବୟାନକୁ ନେଇ ପ୍ରତିକ୍ର୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭାରେ ଭିତରେ ମଧ୍ୟ ଆମକୁ ଜନ ବିରୋଧୀ କହିବା ସହ ବିଧାନସଭା ଭିତରକୁ ଆସି ପାରିବ ନାହିଁ ବୋଲି ଧମକ ଦେଇଛନ୍ତି । ତେଣୁ ଏଥିରେ କିଛି ନୂତନତ୍ୱ ନାହିଁ ବୋଲି କହିଛନ୍ତି ଜୟନାରାୟଣ । ଏହାସହ ଜୟନାରାୟଣ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସବୁଠୁ ବଡ ଜନବିରୋଧୀ । ବିଗତ ୨୩ ବର୍ଷର ଶାସନ କାଳରେ ଓଡ଼ିଶାକୁ ପଛୁଆ ରାଜ୍ୟ ଭାବେ ପରିଣତ କରିଛନ୍ତି । ଭିତ୍ତିଭୂମି ଠାରୁ ଆରମ୍ଭ କରି ଦାରିଦ୍ର୍ୟ, ନାରୀ ନିଯ୍ୟାତନା, ଶିକ୍ଷା, ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ତାଙ୍କ ଠାରୁ ବଡ ଜନବିରୋଧୀ କେହି ନାହାନ୍ତି ।

ମୁଖ୍ୟମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଜନବିରୋଧୀ କେମିତି କହୁଛନ୍ତି । ଜନବିରୋଧୀ ମାନେ କେମିତି ବିଧାନସଭାରେ ବସିବେ? ଆମେ ଅପପ୍ରଚାର କରୁଛୁ ବୋଲି କହୁଛନ୍ତି, କିନ୍ତୁ ଅପପ୍ରଚାର କରୁଛୁ ତାହାର ପ୍ରମାଣ ଦେବେ କି? ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ କିନ୍ତୁ ଶାସନ କ୍ଷମତାରୁ ଅପସରି ଯାଆନ୍ତୁ ବୋଲି କହିଛନ୍ତି ଜୟନାରାୟଣ ।

ଏହାପୂର୍ବରୁ ଆଜି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ସହ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଥିଲେ । ନବୀନ କହିଥିଲେ, ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ବିରୋଧୀଙ୍କର କାମ ପାଲଟିଛି । ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରିଥାନ୍ତି । ଏଥିପାଇଁ ଲୋକେ ସବୁବେଳେ ବିରୋଧୀ ଦଳକୁ ପ୍ରତ୍ୟାଖାନ କରି ଆସୁଛନ୍ତି । ବିରୋଧୀଙ୍କର ଜନବିରୋଧୀ ଓ ବିକାଶ ବିରୋଧୀ ନୀତିକୁ ଲୋକେ ଭଲ ଭାବେ ବୁଝିଛନ୍ତି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ଦଳକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ।