କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳ ନିଯୁକ୍ତି କମିଟି ରେଳ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଭାବେ ଜୟା ବର୍ମା ସିହ୍ନାଙ୍କ ନାମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେ ଅନୀଲ କୁମାର ଲାହୋଟିଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ । ସେ ସେପ୍ଟେମ୍ବର ପହିଲାରୁ ପଦଭାର ସମ୍ଭାଳିବେ । ବଡକଥା ହେଉଛି ଭାରତୀୟ ରେଳ ଇତିହାସର ସେ ପ୍ରଥମ ମହିଳା ଅଧ୍ୟକ୍ଷ । ଏହା ପୂର୍ବରୁ ବିଜୟଲକ୍ଷ୍ମୀ ବିଶ୍ୱନାଥନ ରେଳ ବୋର୍ଡର ମହିଳା ସଦସ୍ୟ ଥିଲେ ।

Advertisment

୧୯୯୮ ବ୍ୟାଚର ଭାରତୀୟ ରେଳ ଯାତାୟତ ସେବା ଅଧିକାରୀ ସିହ୍ନା ବର୍ତ୍ତମାନ ରେଳ ବୋର୍ଡର ସଦସ୍ୟ (ସଞ୍ଚାଳନ ଓ ବ୍ୟବସାୟ ବିକାଶ) ଭାବେ କାର୍ଯ୍ୟ କରୁଛନ୍ତି । ସିହ୍ନା ଏଭଳି ସମୟରେ ବୋର୍ଡର କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି ଯେତେବେଳେ କି କେନ୍ଦ୍ର ସରକାର ରେଳ ବଜେଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଣ୍ଟିତ କରିଛନ୍ତି ।

କେନ୍ଦ୍ର ବଜେଟ ୨୦୨୩-୨୪ରେ ଭାରତୀୟ ରେଳବାଇକୁ ୨.୭୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବରାଦ କରାଯାଇଛି । ଜାତୀୟ ପରିବହନ ସଂସ୍ଥାକୁ ଏହା ହେଉଛି ସର୍ବାଧିକ ଆବଣ୍ଟନ । ୨୦୨୨-୨୩ ଆର୍ଥିକ ବର୍ଷରେ ରେଳବାଇ ପାଇଁ ମୋଟ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଥିଲା ।