ଜୟପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଲେ ଏହି ନେତା ! ଆଜମ୍ ଖାନଙ୍କ ବିରୋଧରେ ଏତଲା ।

131

ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅଭିନେତ୍ରୀ ଜୟପ୍ରଦାଙ୍କ ବିରୋଧରେ ପୁଣି ଏକ ଅଶାଳୀନ ଟିପ୍ପଣୀ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ । ଜୟପ୍ରଦାଙ୍କ ନାଁ ନନେଇ ଆଜମ୍ ଖାନ୍ ତାଙ୍କ ବିରୋଧରେ ଦେଇଥିବା ‘ଖାକି ଅଣ୍ଡରୱିୟର’ ଟିପ୍ପଣୀ ଏବେ ବିବାଦୀୟ ହୋଇପଡିଛି । ଉତ୍ତରପ୍ରଦେଶ ପୋଲିସ୍ ଆଜି ଏନେଇ ଆଜମଙ୍କ ବିରୋଧରେ ଏତଲା ରୁଜୁ କରିଛି । ଜୟପ୍ରଦା ମଧ୍ୟ ଖାନଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ତାଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ସପା ନେତାଙ୍କୁ ନିର୍ବାଚନ ଲଢିବାକୁ ଅନୁମତି ନମିଳିବା ଉଚିତ୍ ବୋଲି ସେ ଦାବି କରିଛନ୍ତି । ଏଭଳି ବ୍ୟକ୍ତି ନିର୍ବାଚନ ଜିତିଲେ ସମାଜରେ ମହିଳାଙ୍କର କିଛି ସ୍ଥାନ ରହିବନି ବୋଲି ଜୟପ୍ରଦା କରିଛନ୍ତି । ଅନ୍ୟପକ୍ଷେ ବିଜେପି ମଧ୍ୟ ଖାନଙ୍କର ଅଶାଳୀନ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି । ଉଲ୍ଲେଖଯୋଗ୍ୟ ରାମପୁରର ଏକ ରାଲିରେ ଆଜମ ଖାନ୍ ଜୟପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ରଖିଥିଲେ ।

ଜୟପ୍ରଦାଙ୍କ ନାଁ ନନେଇ ସେ କହିଥିଲେ ‘ ୧୦ ବର୍ଷ ଧରି ସେହି ବ୍ୟକ୍ତିଜଣଙ୍କ ରାମପୁରର ରକ୍ତ ଶୋଷି ଚାଲିଛନ୍ତି । ମୁଁ ସେହି ବ୍ୟକ୍ତିଙ୍କ ଅଙ୍ଗୁଳି ଧରି ତାଙ୍କୁ ରାମପୁର ଆଣିଥିଲି ଏବଂ ସମସ୍ତଙ୍କ ସହ ତାଙ୍କୁ ପରିଚିତ କରିଥିଲି । କୌଣସି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ତାଙ୍କୁ ଛୁଆଁଇ ଦେଇନଥିଲି । ତାଙ୍କ ବିରୋଧରେ କୌଣସି ଅପଶବ୍ଦ ମଧ୍ୟ ବ୍ୟବହାର ହୋଇନି । ୧୦ ବର୍ଷ ଧରି ତୁମେମାନେ ସେହି ବ୍ୟକ୍ତିଙ୍କୁ ତୁମର ପ୍ରତିନିଧି କଲ । ତେବେ ସେହି ବ୍ୟକ୍ତିଙ୍କ ବାସ୍ତବ ରୂପକୁ ବୁଝିବାକୁ ତୁମକୁ ୧୭ ବର୍ଷ ଲାଗିଗଲା । କିନ୍ତୁ ୧୭ ଦିନରେ ମୁଁ ଜାଣିଥିଲି ଯେ ସେ ଖାକି ଅଣ୍ଡରୱିୟର୍ ପିନ୍ଧିଛନ୍ତି । ତେବେ ଆଜମ୍ ଖାନ୍ ତାଙ୍କ ଟିପ୍ପଣୀରେ ଜୟପ୍ରଦାଙ୍କ ନାଁ ଧରିନଥିଲେ ମଧ୍ୟ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଜୟପ୍ରଦାଙ୍କର ଆରଏସଏସ ସମ୍ପୃକ୍ତି ନେଇ ଖାନ୍ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ ରଖିଛନ୍ତି । ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ,ସପା ସୁପ୍ରିମୋ ଅଖିଳେଶ ଯାଦବ ଏବଂ ପତ୍ନୀ ଡିମ୍ପଲ୍ ଯାଦବଙ୍କ ଉପସ୍ଥିତିରେ ଖାନ୍ ଏଭଳି ଟିପ୍ପଣୀ ରଖିଥିବାରୁ ମାମଲାରେ ମୁଲାୟମଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।