କନକ ବ୍ୟୁରୋ : ସଂସଦରେ ପୁଣି ଥରେ ମୁହାଁମୁହିଁ ହେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ଜୟାଙ୍କ ନାମରେ ଅମିତାଭଙ୍କ ନାଁ ଯୋଡ଼ିବାକୁ ନେଇ ଆଜି ରାଜ୍ୟସଭାରେ ହଙ୍ଗାମା ହୋଇଛି । ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିବାଦ ଥମିବା ନାଁ ନେଉନାହିଁ । ଧନଖଡ଼ ତାଙ୍କ ସହ ଭଲ ସ୍ୱରରେ କଥା ହୋଇନାହାନ୍ତି ବୋଲି ଜୟା ଅଭିଯୋଗ ଆଣିବା ପରେ ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟସଭାରୁ ବାହାରି ଯାଇଥିଲେ ।

Advertisment

ସମାଜବାଦୀ ପାର୍ଟିର ସାଂସଦ ବଚ୍ଚନ ଶୁକ୍ରବାର ଦିନ ଗୃହରେ ଭାଷଣ ଦେଇ ଧନଖଡ଼ ବ୍ୟବହାର କରିଥିବା ଶବ୍ଦ “ଗ୍ରହଣୀୟ ନୁହେଁ” ବୋଲି କହି ତାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି । ଜୟା କହିଛନ୍ତି, ‘ମୁଁ ଜଣେ କଳାକାର । ମୁଁ ମଣିଷର ଭାଷା ଏବଂ ଅଭିବ୍ୟକ୍ତିକୁ ବୁଝିପାରେ । ଆପଣଙ୍କ ସ୍ୱର ଠିକ୍ ନଥିଲା । ଆମେ ଆପଣଙ୍କ ସହକର୍ମୀ, ମାତ୍ର ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ ।’

ଜବାବରେ ଧନଖଡ଼ କହିଛନ୍ତି, ‘ଯଦି ଆପଣ ଜଣେ ସେଲିବ୍ରିଟି ତେବେ ନିୟମର ମହତ୍ୱକୁ ବୁଝନ୍ତୁ । ଜୟା ଜୀ ଆପଣ ବହୁତ ଖ୍ୟାତି ଅର୍ଜନ କରିଛନ୍ତି ଓ ଏକଥା ଜାଣନ୍ତି ଯେ ଜଣେ ଅଭିନେତା/ଅଭିନେତ୍ରୀ ସର୍ବଦା ନିର୍ଦ୍ଦେଶକଙ୍କ ଅଧୀନରେ ରୁହନ୍ତି । କିନ୍ତୁ ପ୍ରତିଦିନ ମୁଁ ନିଜକୁ ପୁନରାବୃତ୍ତି କରିବାକୁ ଚାହେଁ ନାହିଁ । ପ୍ରତିଦିନ ମୁଁ ଶିଖାଇବାକୁ ଚାହୁଁନି । ଆପଣ ମୋ ସ୍ୱର ବିଷୟରେ କହୁଛନ୍ତି । ଏହା ଯଥେଷ୍ଟ ହୋଇଗଲା ।’