କନକ ବ୍ୟୁରୋ : ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଇପିଏଲ ପରେ ପରେ ଟି-୨୦ ବିଶ୍ୱକପ ଖେଳାଯିବ । ତେବେ ଆସନ୍ତା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ଷେରୁ ଅଧିକ ସମୟ ହେବ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଟି-୨୦ କ୍ରିକେଟ ଖେଳିନାହାନ୍ତି । ଗତ ଟି-୨୦ ବିଶ୍ୱକପରେ ହିଁ ରୋହିତ ଶେଷଥର ପାଇଁ ଭାରତ ପକ୍ଷରୁ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହାପରେ ଏହି ଫର୍ମାଟରେ ଭାରତ ଖେଳିଥିବା ପ୍ରତିଟି ସିରିଜରେ ଅଧିନାୟକ ବଦଳୁଛନ୍ତି । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ ଏହା ଭିତରେ ବିସିସିଆଇ ସଚିବ ଜୟ ଶାହ ବଡ ବୟାନ ଦେଇଛନ୍ତି ।
ଜୟ ଶାହ କହିଛନ୍ତି, ଏହି ମାମଲାରେ ନିଷ୍ପତ୍ତି ନେବାକୁ ଆହୁରି ବହୁତ ସମୟ ବାକି ଅଛି । ଆସନ୍ତାବର୍ଷ ଜୁନ୍ ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଆଇପିଏଲ ଓ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ରହିଛି । ତେଣୁ ଏବେଠୁ ଏବାବଦରେ ସ୍ପଷ୍ଟୀକରଣ କଣ ଆବଶ୍ୟକ । ସେହିଭଳି ଦ୍ରାବିଡଙ୍କ କାର୍ଯ୍ୟକାଳକୁ ନେ ଜୟ ଶାହ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ । ଏବେ ରାହୁଲ ଏବଂ ତାଙ୍କର ଟିମର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । କିନ୍ତୁ ଚୁକ୍ତି ବାବଦରେ ଶେଷ ନିଷ୍ପତ୍ତି ନିଆଯାଇନି । ଆମ ପାଖରେ ସମୟ ଅଭାବରୁ କେବଳ କାର୍ଯ୍ୟକାଳ ବୃଦ୍ଧି ନେଇ ସହମତି ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଫେରିବା ପରେ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ।