କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ପରବର୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଜୟ ଶାହ। ଏବେର ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେଙ୍କ କାର୍ୟ୍ୟକାଳ ନଭେମ୍ବର ୩୦ରେ ଶେଷ ହେବାକୁ ଯାଉଛି। ମଙ୍ଗଳବାର ତୃତୀୟ ଥର ପାଇଁ ଏହି ପଦର ଦୌଡ଼ରୁ ସେ ଓହରିଛନ୍ତି ବୋଲି ଘୋଷଣା କରିଛନ୍ତି। ଏହାପରେ ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆଇସିସି ଏକ ବିବୃତି ଜାରି କରିଛି । ଯେଉଁଥିରେ କୁହାଯାଇଛି, ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ତୃତୀୟ ଥର ପାଇଁ ପ୍ରାର୍ଥୀ ହେବେ ନାହିଁ। ନଭେମ୍ବର ଶେଷରେ ତାଙ୍କର ବର୍ତ୍ତମାନର କାର୍ୟ୍ୟକାଳ ଶେଷ ହେବା ପରେ ସେ ଇସ୍ତଫା ଦେବେ। ୨୦୨୦ ନଭେମ୍ବରରେ ବାର୍କଲେଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୨ରେ ସେ ପୁଣି ଥରେ ଏହି ପଦପାଇଁ ନିର୍ବାଚିତ ହୋଇଥିଲେ। ତେଣୁ ଏବେ ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ ଆଇସିସି ଚେୟାରମ୍ୟାନ ହେବା ନେଇ ଚର୍ଚ୍ଚା ହେଉଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୭ ତାରିଖ ରହିଛି। ତେଣୁ ଏହି ପଦ ପାଇଁ ଜୟ ଶାହ ଦାବି ଉପସ୍ଥାପନ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଯଦି ଜୟ ଶାହା ନାମାଙ୍କନ ଭରିବେ ଆଉ ବିଜୟ ହେବେ ତାହେଲେ ସେ ଭାରତର ତୃତୀୟ ବ୍ୟକ୍ତି ହେବେ ଯିଏକି ଆଇସିସି ଚେୟାରମ୍ୟାନ ହେବେ । କାରଣ ଏହା ପୂର୍ବରୁ ଜଗମୋହନ ଡାଲମିଆ ଏବଂ ଶରଦ ପାୱାର ଆଇସିସିର ଅଧ୍ୟକ୍ଷ ରହିଛନ୍ତି।