କନକ ବ୍ୟୁରୋ : ଇଂଲଣ୍ଡକୁ ମାତ୍ ଦେଇ ପଞ୍ଚମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ୧୯ ବର୍ଷରୁ କମ ବିଶ୍ୱକପ ହାତେଇବା ସହ ସର୍ବାଧିକ ଥର ଟାଇଟଲ ହାତେଇବାର ରେକର୍ଡ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଲଗାତାର ଦୁଇଟି ଛକା ମାରି ଦଳକୁ ବିଶ୍ୱବିଜୟୀ କରିଥଇଲେ ଦିନେଶ ବାନା । ଧୋନୀଙ୍କ ଷ୍ଟାଇଲରେ ବାନା ଛକା ମାରି ଭାରତକୁ ବଡ ବିଜୟ ଭେଟି ଦେଇଥିଲେ । ଆଉ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ । ଆଉ ଟିମ୍ ଇଣ୍ଡିଆର ଏହି ଖୁସିକୁ ଦ୍ୱିଗୁଣିତ କରିଛି ବିସିସିଆଇ ।

Advertisment

ବିସିସିଆଇ ବିଶ୍ୱବିଜୟୀ ଟିମ୍ ଇଣ୍ଡିଆର ପ୍ରତି ଖେଳାଳୀଙ୍କ ପାଇଁ ୪୦ ଲକ୍ଷ ଟଙ୍କା ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା । ଟ୍ୱିଟ୍ କରି ଜୟ ଶାହା କହିଛନ୍ତି, ଭାରତକୁ ଗର୍ବିତ କରିଥିବାରୁ ଧନ୍ୟବାଦ । ଏଭଳି ଦମଦାର ପ୍ରଦର୍ଶନ ପାଇଁ ପ୍ରତି ଖେଳାଳୀଙ୍କୁ ୪୦ ଲକ୍ଷ ଓ ସହଯୋଗୀ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ।

ସେହିଭଳି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି, ଭାରତକୁ ବିଶ୍ୱକପ ଭେଟି ଦେଇଥିବାରୁ ପୂରା ଟିମ୍, ସହଯୋଗୀ ଷ୍ଟାଫ ଓ ଚୟନକର୍ତ୍ତାଙ୍କୁ ଧନ୍ୟବାଦ । ବିସିସିଆଇ ତରଫରୁ ଏହି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ପ୍ରଂଶସାର ଏକ ଛୋଟ ପ୍ରତୀକ ଅଟୋ । ଖେଳାଳୀଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର । ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

ଭାରତ ବିଶ୍ୱବିଜୟୀ ହୋଇଛି ସତ କିନ୍ତୁ ଏହି ମ୍ୟାଚର ରୋମାଞ୍ଚ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ।  ଫାଇନାଲ ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟି କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭର ମଧ୍ୟରୁ ୪୫ ଓଭର ଖେଳି ୧୮୯ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଜବାବରେ ଭାରତୀୟ ଟିମ୍ ୪୮ ଓଭରରେ ୬ ୱକେଟ୍ ହରାଇ ୧୯୫ ରନ କରି ବିଜୟ ହାସଲ କରିଛି । ୪୭ ଓଭରରେ ଲଗାତାର ଦୁଇଟି ଛକା ମାରି ଦଳକୁ ବିଜୟୀ କରାଇଥିଲେ ଦିନେଶ ବାନା ।  ଦଳ ପକ୍ଷରୁ ସେକ୍ ରସିଦ୍ ୫୦ ରନ୍ କରିଥିବା ବେଳେ  ନିଶାନ୍ତ ସିଦ୍ଧୁ ୫୦ ରନ କରି ଅପରାଜିତ ଥିଲେ । ରାଜ ବାୱା ମ୍ୟାନ ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଛନ୍ତି । ରାଜ ୧୦ ଓଭର ବୋଲିଂ କରି ୩୧ ରନ ବ୍ୟୟ କରି  ୫ ଟି ୱକେଟ୍ ଅକ୍ତିଆର କରିବା ସହ ବ୍ୟାଟିଂ କରି ୩୫ ରନ ମଧ୍ୟ କରିଥିଲେ । ପ୍ରଥମେ ୨୦୦୦ ମସିହାରେ ୧୯ ବର୍ଷରୁ କମ୍ କିକ୍ରେଟ ବିଶ୍ୱକପ ଜିତିଥିଲା ଭାରତ । ପରେ ୨୦୦୮.  ୨୦୧୨, ୨୦୧୮ ଏବଂ ୨୦୨୨ରେ ପୁଣି ଥରେ ଏହି ଟାଇଟଲ ଜିତିବାରେ ସଫଳ ହୋଇଛି ।