କୃଷି ଓ କୃଷକ ପ୍ରସଙ୍ଗ ନେଇ ବିଧାନସଭା ଅଚଳ। ବିଜେପି କହିଲା, ବିରୋଧୀ ଦଳଙ୍କ ମଧ୍ୟରେ ରହିଛି ସମନ୍ୱୟର ଅଭାବ

ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହାଲ୍ଲା କଲେ କଂଗ୍ରେସ ବିଧାୟକ

137

କନକ ବ୍ୟୁରୋ: କୃଷି ଓ କୃଷକ ପ୍ରସଙ୍ଗ ନେଇ ବିଧାନସଭା ଅଚଳ । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ଉଭୟ କୃଷି ଓ କୃଷକଙ୍କ ଉପରେ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ନେଇ କାହିଁକି ଆଲୋଚନା ହେଲା ନାହିଁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ । ତାପରେ ଏହି ପ୍ରସଙ୍ଗରେ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଳା କରିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ମାଇକ୍ ଟାଣିବା ସହ ହୋହାଲ୍ଳା କରିଥିଲେ । ଫଳରେ ଗୃହ ଚାଲିପାରିନଥିଲା ଓ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଯାହାଦ୍ୱାରା ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ରଖିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

କଂଗ୍ରେସ ଅଭିଯୋଗ ବାଢିଛି ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କ ସମସ୍ୟାରେ ଆଲୋଚନା କରିବା ପାଇଁ ଭୟଭୀତ । ରାଜ୍ୟରେ କୃଷକଙ୍କ ସଂଖ୍ୟା ନେଇ ସରକାରଙ୍କ ପାଖରେ ସଠିକ ତଥ୍ୟ ନାହିଁ । ଏଥିପାଇଁ ପୂର୍ବରୁ ବିଧାନସଭାରେ ସରକାର ଅପଦସ୍ତ ହୋଇସାରିଛନ୍ତି । କୃଷକଙ୍କ ପ୍ରତି ବୀତସ୍ପୃହ ମନୋଭାବ ଯୋଗୁଁ ଗୃହରେ ଏ ପ୍ରସଙ୍ଗରେ ଆଲୋଚନ ହୋଇପାରୁ ନାହାନ୍ତି ।

ତେବେ କଂଗ୍ରେସର ଏଭଳି ଆଚରଣକୁ କଡା ଭାଷାରେ ନିନ୍ଦା କରିଛି ବିଜେପି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ଚାଷୀ ପ୍ରସଙ୍ଗରେ ଗୋଟିଏ ଦିନ ପରେ ଆଲୋଚନା ହୋଇପାରିଥାନ୍ତା । ଫୋନି ସଂପର୍କରେ ଗୃହରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ସେପଟେ ଗୃହ ମୁଲତବୀ ନେଇ ବିଜେଡି କହିଛି କି, ମୁଲତବି ପ୍ରସ୍ତାବ ଆସିବାର ଯେଉଁ ବିଧି ଅଛି ତାକୁ ମାନ୍ୟବର ବାଚସ୍ପତି ନିଷ୍ପତି କରନ୍ତି । ଆଜି ଯେଉଁ ଫୋନି ତଥା ବାତ୍ୟା ସଂପର୍କରେ ଆଲୋଚନା ରହିଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦୁର୍ଭାଗ୍ୟର କଥା ହେଲା କି, ଏସଂପର୍କରେ ଆଲୋଚନା ନ କରି ଗୃହକୁ ଅଚଳ କରିବାକୁୁ ବିରୋଧୀମାନେ ବାରମ୍ବାର ପ୍ରୟାସ କରୁଛନ୍ତି, ଯାହାକି ଆଦୌ ଆଲୋଚନା ପାଇଁ ସ୍ପୃହଣୀୟ ନୁହେଁ କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।