କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଏସବୁ ଭିତରେ ଏବେ ହକି ବିଶ୍ୱକପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ରାଜ୍ୟ ସରକାର ବାରମ୍ବାର ହକି ବିଶ୍ୱକପ ଆୟୋଜନ କରିବାକୁ କାହିଁକି ଆଗ୍ରହୀ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ବୋଲି କହି କଟାକ୍ଷ କରିଛନ୍ତି ଜୟନାରାୟଣ ।
ଯେଉଁ ରାଜ୍ୟରେ ହକି ଟୁର୍ଣ୍ଣାମେଣ୍ଟ ହୁଏ ସେହି ରାଜ୍ୟର ହକି ଆସୋସିଏସନ ତାହା ଆୟୋଜନ କରିଥାଏ । ଭାରତୀୟ ହକି ଆସୋସିଏସନ ଓ ଓଡ଼ିଶା ହକି ଆସୋସିଏସନଙ୍କ ମିଳିତ ପ୍ରୟାସରେ ଏହି ହକି ବିଶ୍ୱକପ ଆୟୋଜିତ ହେବା କଥା । ଗତଥର ବିଶ୍ୱକପ ଓଡ଼ିଶା ଆୟୋଜନ କରିଥିଲା ତେଣୁ ପୁଣିଥରେ ଏହି ବିଶ୍ୱକପ୍ ଆୟୋଜନ କରିବାର କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ହକି ଆୟୋଜନ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ସେତେବେଳେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ କରି ନବୀନ କାହିଁକି ଅଯଥା ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ।
ରାଜ୍ୟରେ ପୁଷ୍ଟିସାର ଖାଦ୍ୟ ମିଳୁନି, ଅନେକ ମା ଓ ଶିଶୁ ମୃତ୍ୟୁବରଣ କରୁଛନ୍ତି, ଏଭଳି ସ୍ଥଳେ କାହିଁକି ଓଡ଼ିଶା ବାରମ୍ବାର ହକି ଆୟୋଜନ କରୁଛି । ଯଦି ବାସ୍ତବରେ ସରକାରଙ୍କ ହକି ପ୍ରୀତି ଅଛି ତେବେ କାହିଁକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ହକି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିନି । ସିନିୟର ଟିମରେ କାହିଁକି ଧୀରେ ଧୀରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମୁଛି । ଜୁନିୟର ଟିମରେ ବି ସ୍ଥିତି ଖରାପ । ସ୍ପୋର୍ଟ୍ସ ହଷ୍ଟେଲରୁ କେତେ ଜଣ ଖେଳାଳୀ ହକିରେ ସଫଳ ହୋଇଛନ୍ତି, କେତେଜଣ ଅନ୍ତର୍ଜାତୀୟ ଖେଳାଳୀ ଓଡ଼ିଶାରେ ସୃଷ୍ଟି ହେଲେଣି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ହକି ବିଶ୍ୱକପ୍ ହକି ଫେଡ଼ରେସନ ଆୟୋଜନ କରିବା କଥା କେବଳ ଓଡିଶା ସରକାର ସମର୍ଥନ କରିବା କଥା । କିନ୍ତୁ ଓଡ଼ିଶାରେ ଏହାର ବୀପରିତ ସ୍ଥିତି ଦେଖିବାକୁ ମିଳୁଛି । ଓଡ଼ିଶା ସରକାର ହକି ବିଶ୍ୱକପ ଆୟୋଜନ କରୁଛନ୍ତି ଓ ହକି ଫେଡରେସନ ଏଠାରେ ଗୌଣ ହୋଇଯାଉଛି । ତେଣୁ ଆଗକୁ ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦଘାଟନ ନାଁ ରେ ରାଜନୀତି ନ କରନ୍ତୁ । ହକି ଆୟୋଜନ ନାଁ ରେ ଦଳୀୟ ପ୍ରଚାର ପ୍ରସାର ନ କରଯାଉ ବୋଲି ଜୟନାରାୟଣ କହିଛନ୍ତି ।
Follow Us