କନକ ବ୍ୟୁରୋ : ଶାନ୍ତ ହୋଇଗଲେ ସ୍ୱର ସାମ୍ରାଜ୍ଞୀ । କୋଟି କୋଟି ପ୍ରଂଶସକଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି ଭାରତର ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି କୋକିଳକଣ୍ଠୀ । କିନ୍ତୁ ତାଙ୍କର କାଳଜୟୀ ଗୀତ ପାଇଁ ସେ ଚିରକାଳ ଅମର ରହିବେ । ଲତାଙ୍କୁ ହରାଇ ପୂରା ଦେଶ ଶୋକରେ ବୁଡିଛି । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକ ଲତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ପୂରା ଦେଶ ଲତାଙ୍କୁ ଝୁରୁଛି, ଦେଶବାସୀଙ୍କ ଆଖିରୁ ଲୁହ ଝରୁଛି । କାରଣ ସମସ୍ତେ ଜାଣିଛନ୍ତି ଆଉ ଲତା ଫେରିବେନି । ୩୬ଟି ଭାରତୀୟ ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇ ଦେଶବାସୀଙ୍କ ମନ ଜିଣିଥିଲେ ଲତା । ଆଉ ଏହା ଭିତରେ ଏମିତି ବି କିଛି ଗୀତ ଥିଲା ଯାହାକୁ କେବେ ଦେଶବାସୀ ଭୁଲିବେ ନାହିଁ । ନିଜ ସ୍ୱରରେ କେବଳ ଯେ ଶ୍ରୋତାଙ୍କୁ ବାନ୍ଧି ରଖିପାରୁଥିଲେ ତାହା ନୁହେଁ ବରଂ ଏମିତି ବି ଗୀତ ଗାଇଥିଲେ ଦେଶବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା ଓ ମନରେ ଦେଶପ୍ରେମ ଜାଗ୍ରତ କରିଥିଲା । ଯେଉଁ ଗୀତ ଶୁଣି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମଧ୍ୟ କାନ୍ଦି ପକାଇଥିଲେ । ଆଉ ସେହି ଗୀତଟି ଥିଲା ‘ଏ ମୈରେ ୱତନ କି ଲୋଗୋଁ’ । ଏହି ଗୀତ ଭାରତ-ଚୀନ୍ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ସର୍ମପିତ କରାଯାଇଥିଲା । ଆଉ ଏହି ଗୀତ ପୂରା ଦେଶବାସୀଙ୍କ ଆଖିରେ କେବଳ ଲୁହ ଆଣିନଥିଲା ବରଂ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ।

Advertisment

ଭାରତର ଦେଶଭକ୍ତି ଗୀତ ମଧ୍ୟରେ ଏହି ଗୀତକୁ କେହି କେବେ ଭୁଲିପାରିବେ ନାହିଁ । ଏହି ଗୀତ ଗାଇବା ପାଇଁ ପ୍ରଥମେ ଲତା ପ୍ରସ୍ତୁତ ନଥିଲେ । କିନ୍ତୁ ବହୁ ଆଲୋଚନା ପରେ ଲତା ଭଉଣୀ ଆଶାଙ୍କ ସହ ମିଶି ଏହି ଗୀତ ଗାଇବାକୁ ନିଷ୍ପତ୍ତି ନେଇଥିଲେ  । କିନ୍ତୁ ଠିକ୍ ସମୟରେ ଆଶା ପହଞ୍ଚି  ନପାରିବାରୁ ଲତା ଏକାକୀ ଏହି ଗୀତ ଗାଇଥିଲେ । ସେତେବେଳେ ଲତା ଜାଣିନଥିଲେ ଯେ, ଏହି ଗୀତ ଏତେ ଲୋକପ୍ରିୟ ହେବ ଓ ଦେଶବାସୀଙ୍କ ହୃଦୟକୁ ଛୁଇଁଯିବ ବୋଲି । ତେବେ ଏହି ଗୀତ ପଛରେ ଅନେକ କାହାଣୀ ଲୁଚି ରହିଛି ।

୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ଆମର ହଜାରରୁ ଅଧିକ ବୀର ଯବାନ ସହିଦ ହୋଇଥିଲେ । ଭାରତ ଏହି ଯୁଦ୍ଧରେ ପରାଜିତ ହୋଇଥିଲା । ଆଉ ଏହା ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଏକପ୍ରକାର ଭାଙ୍ଗି ଦେଇଥିଲା । ସେତେବେଳେ କବି ପ୍ରଦୀପ ଏମିତି କିଛି ଲେଖିବାକୁ ଚିନ୍ତା କଲେ ଯାହା ଦେଶବାସୀଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିବ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇପାରିବ । ଆଉ ଏହାପରେ ଜନ୍ମ ନେଇଥିଲା ଏହି ଗୀତ । ଗୀତ ଲେଖିବା ପରେ ଏହାକୁ ଗାଇବା ପାଇଁ ଲତା ମଙ୍ଗେସକରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ପ୍ରଦୀପ । କିନ୍ତୁ ପ୍ରଥମେ ସମୟ ନଥିବା କାରଣରୁ ଏହି ଗୀତ ନ ଗାଇବାକୁ ମନସ୍ଥିର କରିଥିଲେ ଲତା । କିନ୍ତୁ ଦୀର୍ଘ ଆଲୋଚନା ପରେ ଏହି ଗୀତ ଗାଇବାକୁ ରାଜି ହୋଇଥିଲେ ଲତା । ୧୯୬୩ ସାଧାରଣତନ୍ତ୍ର ଦିବସରେ ଏହି ଗୀତ ଗାଇବାକୁ ସ୍ଥିର କରାଯାଇଥିଲା ।

ଲତା ମଙ୍ଗେସକର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସାମ୍ନାରେ ଏହି ଗୀତ ଗାଇବାକୁ ସୁଯୋଗ ମିଳିଥିଲା । କିନ୍ତୁ ଏହି ଗୀତ ନେହେରୁଙ୍କୁ ଏତେ ପ୍ରଭାବିତ କରିବ ବୋଲି ସେ କେବେ ଆଶା ମଧ୍ୟ କରିନଥିଲେ । କାରଣ ଗୀତ ଶେଷ ହେବା ବେଳକୁ ନେହେରୁଙ୍କ ଆଖିରୁ ଲୁହ ଝରୁଥିଲା । ସେ ଏହି ଗୀତ ଶୁଣିବା ପରେ ନିଜ ଅଶ୍ରୁକୁ ଅଟକାଇ ପାରିନଥିଲେ ଏବଂ ପୁଣିଥରେ ଏହି ଗୀତ ଗାଇବାକୁ ଲତାଙ୍କୁ କହିଥିଲେ । ଲତା ମଧ୍ୟ ନେହେରୁଙ୍କ ଅନୁରୋଧ ରକ୍ଷା କରି ପୁଣିଥରେ ଏହି ଗୀତ ଗାଇଥିଲେ । ତେବେ ଲତା ନିଜେ ମଧ୍ୟ ଜାଣିନଥିଲେ ଯେ ଏହି ଗୀତ ଦେଶବାସୀଙ୍କ ହୃଦୟକୁ ଏମିତି ଛୁଇଁଯିବ ବୋଲି । କିନ୍ତୁ କବି ପ୍ରଦୀପ କହିଥିଲେ, ଦେଖିବ ଏହି ଗୀତ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିବ ଯେ ତୁମେ କଳ୍ପନା କରିନଥିବ । ଆଉ ଲତା ଏହି ଗୀତ ଗାଇବା ପରେ ବାସ୍ତବରେ ସେମିତି ହିଁ କିଛି ହୋଇଥିଲା ।