ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ । ଛତିଶଗଡ ଡିଜି କହିଲେ, ଖୋଜିବା ଲାଗି ଚାଲିଛି ଅପରେସନ

140

କନକ ବ୍ୟୁରୋ: ଅନୁମାନ କରାଯାଉଛି ମାଓବାଦୀଙ୍କ ଗହଣରେ ବନ୍ଦୀ ଅବସ୍ଥାରେ ଥାଇପାରନ୍ତି ନିଖୋଜ ଯବାନ ରାକେଶୋର ସିଂ ମନହସ । ତାଙ୍କୁ ଉଦ୍ଧାର କରିବା ପାଇଁ ଏବେ ଚାଲିଛି ସର୍ଚ୍ଚ ଅପରେସନ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ । କାରଣ ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତ୍ତା ମିଳୁନାହିଁ ।

ଆଉ ଏହାରି ଭିତରେ ସିପିଆଇ ମାଓଇଷ୍ଟ ସଂଗଠନ ପ୍ରେସ ବିବୃତି ଜାରି କରିଛି । ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜାପୁର ଗସ୍ତ ପରେ ଏହି ପ୍ରେସ ବିବୃତି ଜାରି କରିଛି ସିପିଆଇ ମାଓଇଷ୍ଟ ସଂଗଠନ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନିନ୍ଦା କରାଯାଇଛି । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯବାନଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନର୍ଥବ୍ଲକକୁ ଦାୟୀ କରିଛି ସିପିଆଇ ମାଓବାଦୀ ସଂଗଠନ ।

ଅନ୍ୟପଟେ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେମାନଙ୍କ ଲଢେଇ ସରକାରଙ୍କ ବିରୋଧରେ, ସୁରକ୍ଷା କର୍ମୀଙ୍କ ବିରୋଧରେ ନୁହେଁ ବୋଲି କୁହାଯାଇଛି । ଛତିଶଗଡର ବିଜାପୁରରେ ମାଓବାଦୀମାନେ ରକ୍ତର ହୋଲି ଖେଳିବା ପରେ, ସାରା ଦେଶ ଦୋହଲି ଯାଇଛି । ଆଉ ଏକ ବଡ ସମସ୍ୟା ହେଉଛି, ଜଣେ ଯବାନ ସେମାନଙ୍କ କବଜାରେ ଅଛନ୍ତି ।