କନକ ବ୍ୟୁରୋ: ଆକାଶରୁ ନିଆଁ ବର୍ଷା । ପ୍ରଚଣ୍ଡ ଖରାରେ ଟକମକ ହୋଇ ଫୁଟୁଛି ମରୁଭୂମିର ବାଲି । ପ୍ରକୃୃତିର ଏଭଳି ରୌଦ୍ର ରୂପ ମଧ୍ୟ ଭାଙ୍ଗିପାରିନି ଯବାନଙ୍କ ସାହସ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଟଳମଳ ହୋଇନି ଦେଶର ବୀର ପୁତ୍ରଙ୍କ ପାଦ । ଦେଶ ମାତୃକାର ସେବା ପାଇଁ ସୀମାରେ ଅହରହ ଚାଲିଛି ପାଟ୍ରୋଲିଂ । ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଛନ୍ତି ଭାରତର ବିଏସ୍ଏଫ ଯବାନ । ୫୫ ଡିଗ୍ରୀ ତାତିରେ ଭାରତ-ପାକିସ୍ତାନ ସୀମା ଜଗିଛନ୍ତି । ବନ୍ଧୁକ ଧରି ଓଟ ପିଠିରେ ବସି ଯବାନମାନେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

Advertisment

ପ୍ରବଳ ଖରା ହେଉଥିବାରୁ ପିଇବା ପାଇଁ ମାଠିଆରେ ପାଣି ରଖିଛନ୍ତି । ରାଜସ୍ଥାନ ମରୁଭୁମୀରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଯୋଗାଉଛନ୍ତି ବିଏସଏଫ ଯବାନ । ଭାରତ-ପାକିସ୍ତାନ ସୀମାରୁ ଆସିଥିବା ଏହି ଦୃଶ୍ୟକୁ ନେଇ ଯବାନଙ୍କୁ ପ୍ରଶଂସା କରିଛନ୍ତି ଲୋକେ ।

ଗତକାଲି ପ୍ରଚଣ୍ଡ ଖରା ଯୋଗୁଁ ରାଜସ୍ଥାନ ଜୈସଲମେରରେ ବିଏସଏଫ କନଷ୍ଟେବଳ ଅଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା । ଅଜୟଙ୍କ ଘର ପଶ୍ଚିମବଙ୍ଗରେ । ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ହିଟ୍ ୱେଭ ନେଇ ରାଜସ୍ଥାନ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।