କନକ ବ୍ୟୁରୋ: କୋଳ ଖାଲି କରିଦେଲା କରୋନା । ମାଆଠୁ ପୁଅକୁ ନେଇଗଲା ମହାମାରୀ । ପୁଅ ଫେରିବନି, ସୀମା ସେପାରିରୁ ଆଉ ଜମା ଫେରିବନି ।ଯେତେ ବୁଝାଇଲେ ବି ମାଆର ମନ ବିଲକୁଲ ମାନୁନି । ଦୂର ରାଇଜକୁ ଯାଇ ଦୂରେଇ ଯାଇଛି ଯବାନ ପୁଅ । ଆଉ ମାଆର କୋଳକୁ ଖାଲି କରିଦେଇ ପୁଅକୁ ନେଇଯାଇଛି କରୋନା । ସୁଦୂର ଛତିଶଗଡରେ ଓଡିଆ ଯବାନଙ୍କ କରୋନାରେ ମୃତ୍ୟୁ ହେବା ପରେ ଏବେ ଗାଁରେ ଖେଳିଯାଇଛି ଶୋକାକୂଳ ପରିବେଶ ।

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାଜିପୁର ଗାଁର ପ୍ରଭାକର ଘଡେଇଙ୍କ ୩୦ ବର୍ଷୀୟ ପୁଅ କୈଳାସ ଯବାନ ଭାବେ ଦେଶର ସେବା କରିଆସୁଛନ୍ତି । ପଡୋଶୀ ଛତିଶଗଡର ବିଏସଏଫ ୧୯୩ ବାଟାଲିୟନରେ କାର୍ଯ୍ୟରତ ଥିଲେ କୈଳଶା । ହେଲେ ଗତ ୧୮ ତାରିଖ ଦିନ କୈଳାସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ୨୩ ତାରିଖରେ ଦିନ ସଂକ୍ରମଣ ସହ ଲଢି ହାରିଯାଇଛନ୍ତି ଭାରତ ମାତାର ବୀର ପୁଅ ।

ସେପଟେ କୈଳାସଙ୍କ ସହ ରହୁଥିବା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଅକାଳରେ ପୁଅର ମୃତ୍ୟୁ ଖବର ପାଇଁ ପୂରା ପରିବାର ଭାଙ୍ଗି ପଡିଛି । ଆଉ ଯବାନ ପୁଅକୁ ହରାଇ ମାଆ ତା ସ୍ମୃତିକୁ ଝୁରିହେଉଛି । ପୁଅର ମୃତଦେହ ଆଉ ବୋହୂର ଫେରିବା ବାଟକୁ ଅନେଇ ରହି ଆଖିରୁ ଲୁଝ ଝରାଉଛନ୍ତି ସମସ୍ତେ ।