ପୁରୀଠୁ ୫୩୦ କିଲୋମିଟର ଦୂରରେ ଜୱାଦ । ସମୁଦ୍ରରେ ଘଣ୍ଟାକୁ ବେଗ ରହିଛି ୨୨ କିଲୋମିଟର

353

କନକ ବ୍ୟୁରୋ: ବାତ୍ୟା ଜୱାଦ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ । ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଥିବାବେଳେ, ବାତ୍ୟା ଜୱାଦ ଏବେ ପୁରୀ ଉପକୂଳଠାରୁ ମାତ୍ର ୫୩୦ କିଲୋମିଟର ଦୂରରେ ଅଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଜୱାଦ ଏବେ ଗୋପାଳପୁରଠାରୁ ୪୭୦ ଓ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ତେବେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ବଢିବା ଆରମ୍ଭ କରିବ । ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ଆରମ୍ଭ ହୋଇଥିବାବେଳେ, ଯେଉଁ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ବୋଲି ଏଚ୍ ଆର ବିଶ୍ୱାସ କହିଛନ୍ତି ।

ତାଙ୍କ କହିବା ମୁତାବକ, ବାତ୍ୟା ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ରହିବ । ପବନ ଝଟକା ଏହି ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଖୋର୍ଦ୍ଧା,ନୟାଗଡ, କଟକ, କେନ୍ଦ୍ରାପଡାରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତା ସହିତ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ଜଗତସିଂହପୁରରେ ମଧ୍ୟ ବର୍ଷା ହେବା ନେଇ ପୂୂର୍ବାନୁମାନ କରାଯାଇଛି । ବାତ୍ୟା କାରଣରୁ ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ତା ସହିତ ରାଜ୍ୟର ସମସ୍ତ ବନ୍ଦରକୁ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି ।