ବାତ୍ୟା ସିନା ଟଳିଗଲା କିନ୍ତୁ ବଢିଗଲା ଚାଷୀଙ୍କ ଦୁର୍ଦ୍ଦଶା । ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ସୁନାର ଫସଲ

116

କନକ ବ୍ୟୁରୋ : ଟଳିଗଲା ବାତ୍ୟା, ବଢ଼ିଗଲା ଚାଷୀର ଦୁର୍ଦ୍ଦଶା । ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ସୁନାର ଫସଲ । ୩ ଦିନିଆ ବର୍ଷାରେ ଗଜା ହୋଇ ଯାଇଛି ବର୍ଷକର ଆହାର । ଜୱାଦ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ କଟକ ଜିଲ୍ଲା ନିଆଳି ବ୍ଲକରେ ଖରିଫ ଧାନ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଧାନ ସବୁ ପାଣିରେ ଗଜା ହୋଇଯାଇଛି । ନିଆଳି ବ୍ଲକର ୪ ହଜାର ଚାଷୀଙ୍କ ଧାନ ବିଲର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଢ଼ି ଯାଇଛି ଚାଷୀ ।

ସେହିପରି ଉଦ୍ୟାନକୃଷି ବିଭାଗ ପକ୍ଷରୁ ଜିଲ୍ଲାରେ କେତେ କ’ଣ କ୍ଷୟକ୍ଷତି ହୋଇଛି ‌ତା’ର ରିପୋର୍ଟ ପ୍ରସ୍ତୁତ ହୋଇ ନଥିବା ଜଣାପଡ଼ିଛି। ଏପରିକି ଉଦ୍ୟାନ ବିଭାଗରେ କ’ଣ କ୍ଷୟକ୍ଷତି ହୋଇଛି ତା’ର ଫଟୋ ଓ ଅଭିଯୋଗ କ୍ଷେତ୍ର ସ୍ତରରୁ ପହଞ୍ଚି ନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୃଷି ବିଭାଗ ରିପୋର୍ଟ ଅନୁସାରେ ଖରିଫ୍‌ ଋତୁରେ କଟକ ଜିଲ୍ଲାରେ ୧ଲକ୍ଷ ୩୩ ହଜାର ୬୪୫ ହେକ୍ଟର୍‌ ଚାଷ ଜମିରେ ଧାନ ଫସଲ କରାଯାଇଛି। ସେଥିରୁ ମାତ୍ର ୨୯ହଜାର ହେକ୍ଟର୍‌ ଚାଷଜମିରୁ ଧାନ ଅମଳ କରାଯାଇଥିବା ବେଳେ ବାକି ୧ଲକ୍ଷ ୪ ହଜାର ୨୫୧ହେକ୍ଟର୍‌ ଚାଷଜମିରୁ ଧାନ ଅମଳ ହୋଇପାରିନି ।

ବର୍ଷାରେ ସାଲେପୁର ବ୍ଲକ୍‌ରେ ସର୍ବାଧିକ ୧୨ହଜାର ୩୫୦ ହେକ୍ଟର୍‌ ଚାଷଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଙ୍କୀରେ ସବୁଠାରୁ କମ୍‌ ଅର୍ଥାତ୍‌ ୩୦୦ ହେକ୍ଟର୍‌ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ତଥ୍ୟରେ ଦର୍ଶାଯାଇଛି। ସେହିପରି କଟକ ସଦର ବ୍ଲକ୍‌ରେ ୭୦୬୦ ହେକ୍ଟର୍‌, ବାରଙ୍ଗରେ ୫୨୫ହେକ୍ଟର୍‌, କଣ୍ଟାପଡ଼ାରେ ୩୯୧୨, ନିଆଳିରେ ୩୭୪୦, ନିଶ୍ଚିନ୍ତକୋଇଲିରେ ୯୫୬୦, ମାହାଙ୍ଗାରେ ୨୧୩୬, ଟାଙ୍ଗୀ-ଚୌଦ୍ବାରରେ ୩୩୯୫, ଆଠଗଡ଼ରେ ୫୦୦, ତିଗିରିଆରେ ୩୩୫, ବଡ଼ମ୍ବାରେ ୯୫୦, ନରସିଂହପୁରରେ ୮୩୧୩, ଡମପଡ଼ାରେ ୩୭୫ ହେକ୍ଟର୍‌ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି ।