ଅଟୋ ସାଜିଲା ଆମ୍ବୁଲାନ୍ସ । କରୋନା ରୋଗୀଙ୍କ ପାଇଁ ନିଜ ଅଟୋକୁ ଆମ୍ବୁଲାନ୍ସରେ ବଦଳାଇଲେ ଜାଭେଦ ଖାନ୍

189

କନକ ବ୍ୟୁରୋ: ଅକ୍ସିଜେନ୍ ପାଇଁ ଆଉଟୁପାଉଟୁ ରୋଗୀ । ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତିି ହଜାର ହଜାର ଲୋକ । କିଏ ଅକ୍ସିଜେନ୍ ଟିକିଏ ପାଇବା ପାଇଁ ଡହଳ ବିକଳ ହେଉଛି ତ ଆଉ କିଏ ନିଜ ନିଶ୍ୱାସ ଟିକକ ବଂଚେଇବା ପାଇଁ ଜୀବନ ସହ ଯୁଦ୍ଧ ଲଢୁଛି । ସାରା ଦେଶରୁ ଏବେ ଅକ୍ସିଜେନ ଅଭାବର ଏ ଦାରୁଣ ଦୁଃଖ, ଏଯାଏଁ ବି ଶେଷ ହୋଇନି । ମହାମାରୀର ଏ ମହାସଂଗ୍ରାମକୁ ଏବେ ବି ସାମ୍ନା କରୁଛି ସାରା ଦେଶ । ଆଉ ଏତିକି ବେଳେ ଅକ୍ସିଜେନର ଏହି ସଂକଟ ଅନେକଙ୍କ ଆଖିରେ ଲୁହ ଆଣିଦେଇଛି । ଅମ୍ଲଜାନ ଟିକିଏ ପାଇବା ପାଇଁ ଅନେକ ରୋଗୀ ହସ୍ପିଟାଲ ବାରଣ୍ଡାରେ ହନ୍ତସନ୍ତ ହେଉଛନ୍ତି, କିଛି କିଛି ନିଜ ଜୀବନ ମଧ୍ୟ ହାରିଲେଣି । ଆଉ ଏତିକି ବେଳେ ନିଜ ପେଟକୁ ଆହାର ଯୋଗାଉଥିବା ଅଟୋକୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସରେ ବଦଳାଇଦେଇଛନ୍ତି ଜଣେ ଯୁବକ । ଅଟୋ ସାଜିଛି ଆମ୍ବୁଲାନ୍ସ । ଆଉ ଭିତରେ ଅଛି ଏବେକା ସମୟରେ ସଂଜୀବନୀ କୁହାଯାଉଥିବା ଅକ୍ସିଜେନ୍ ସିଲିଣ୍ଡର । ଯେଉଁଠି ଜଣେ ରୋଗୀ ଆରାମରେ ବସି ହସ୍ପିଟାଲକୁ ଯିବା ସହିତ ନିଜ ଜୀବନକୁ ବଂଚାଇପାରିବେ । ଆଉ ଏହାକୁ ପ୍ରସ୍ତୁତ କରିଛନ୍ତି ଭୋପାଳର ଜଣେ ୩୪ ବର୍ଷୀୟ ଯୁବକ ଜାଭେଦ ଖାନ୍ ।

ଜାଭେଦଙ୍କ ଘର ମଧ୍ୟପ୍ରଦେଶର ଭୋପାଳ ଅଂଚଳରେ । ଯେଉଁଠି ସେ ଅଟୋ ଚଲେଇ ନିଜ ପରିବାର ପୋଷନ୍ତି । ଦୀର୍ଘ ୧୮ ବର୍ଷ ହେଲା ଜାଭେଦ ଅଟୋ ଚଲେଇ ଆସୁଛନ୍ତି । ହେଲେ କୋଭିଡର ଏ ମହାମାରୀ ଭିତରେ ସେ ତାଙ୍କ ଅଟୋକୁ କରିଛନ୍ତି ଆମ୍ବୁଲାନ୍ସ । ଯେଉଁଥିରେ ସ୍ଥାନୀୟ ଅଂଚଳର ରୋଗୀମାନେ ମାଗଣାରେ ହସ୍ପିଟାଲକୁ ଯାଇ ନିଜ ଜୀବନ ରକ୍ଷା କରିପାରୁଛନ୍ତି । ଖାଲି ସେତିକି ନୁହେଁ, ୟା ଭିତରେ ଜାଭେଦ ୮ରୁ ୧୦ ଜଣ ଗୁରୁତର ରୋଗୀଙ୍କ ଜୀବନ ମଧ୍ୟ ରକ୍ଷା କରିସାରିଲେଣି । ଯାହା ତାଙ୍କୁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ କରିପାରିଛି ।

ତେବେ ତାଙ୍କ ଅଟୋ ଆମ୍ବୁଲାନ୍ସ ଆରମ୍ଭ କରିବାର କାରଣ ନେଇ ଜାଭେଦ କହନ୍ତି…ମୁଁ ଦୀର୍ଘ ୧୮ ବର୍ଷ ହେଲା ଅଟୋ ଚଲେଇ ଆସୁଛି । ଭଗବାନଙ୍କ ଦୟାରୁ ମହାମାରୀ ଭିତରେ ମୋ ପରିବାରର କେହି ବି କୋଭିଡ୍ ସଂକ୍ରମିତ ହୋଇନାହାନ୍ତି । ହେଲେ କରୋନାର ବଢୁଥିବା ସଂକ୍ରମଣ ଓ ମୃତ୍ୟୁ ମୋତେ ବିଚଳିତ କରିଥିଲା । ତେଣୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ କିଛି ଆରମ୍ଭ କରିବାକୁ ଭାବିଥିଲା । ଆଉ ତା ପରେ ମୋ ଅଟୋକୁ ଆମ୍ବୁଲାନ୍ସରେ ବଦଳାଇ ଦେଇଥିଲି । ଗତ ତିନି ଚାରି ଦିନ ଭିତରେ ମୁଁ ଅନେକ ଗୁରୁତର ରୋଗୀଙ୍କ ଜୀବନ ମଧ୍ୟ ବଞ୍ଚାଇଛି । ଯାହା ମୋତେ ଅନେକ ଖୁସି ଦେଇଛି ।

ଜାଭେଦଙ୍କ ଏଭଳି ପ୍ରୟାସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି । ଅନେକ ଲୋକ ତାଙ୍କୁ କରୋନା ସମୟର ଦେବଦୂତ ମଧ୍ୟ କହିସାରିଲେଣି । ଜଣେ ସାମାନ୍ୟ ଅଟୋ ଚାଳକ ହୋଇ ମଧ୍ୟ ମହାମାରୀର ଏ ଯୁଦ୍ଧରେ ଜାଭେଦ ହୋଇଛନ୍ତି ଅସଲି ଯୋଦ୍ଧା