କଙ୍ଗନାଙ୍କୁ କୋର୍ଟର ଚେତାବନୀ, ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି କରାଯିବା ଗିରଫ୍ ପରୱାନା

99

କନକ ବ୍ୟୁରୋ : ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ମାମଲାରେ କୋର୍ଟ ଚେତାବନୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ମାମଲାର ପରବର୍ତ୍ତୀ ଶୁଣାଣିରେ ଯଦି କଙ୍ଗନା ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ।

କହିରଖୁ କି ଗୀତିକାର ଜାବେଦ ଅଖତର ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ମାନହାନୀ ମାମଲା ବମ୍ବେ ହାଇକୋର୍ଟରେ ଦାଖଲ କରିଥିଲେ । ଏହି ମାମଲାକୁ ଖାରଜ କରିବାକୁ କଙ୍ଗନାଙ୍କ ତରଫରୁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଆଜି (୧୪ ସେପ୍ଟେମ୍ବର)ରେ ଏହି ମାମଲାର ଶୁଣାଣି ପାଇଁ ମେଟ୍ରୋପଲିଟାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ କଙ୍ଗନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇ ନଥିଲେ ।

ଏନେଇ କଙ୍ଗନାଙ୍କ ଓକିଲ କୋର୍ଟକୁ ଜଣାଇଥିଲେ କି, ନିଜ ସିନେମାର ପ୍ରମୋସନ ପାଇଁ କଙ୍ଗନା ବିଭିନ୍ନ ସ୍ଥାନକୁ ଯାଉଥିବାରୁ ଏବେ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେଇଛି । ଏହି ମାମଲାର ଶୁଣାଣି ଯଦି ୭ ଦିନ ପରେ ହେବ ତେବେ ସେ କୋର୍ଟରେ ଉପସ୍ଥିତ ରହିପାରିବେ ବୋଲି କଙ୍ଗନାଙ୍କ ଓକିଲ କୋର୍ଟକୁ କହିଛନ୍ତି । ଅନ୍ୟପଟେ ପ୍ରତିପକ୍ଷ ଜାଭେଦ ଅଖତରଙ୍କ ଓକିଲ କହିଛନ୍ତି କି ଶୁଣାଣି ବିଳମ୍ବ କରିବା ଲକ୍ଷ୍ୟରେ କଙ୍ଗନା ଓକିଲଙ୍କ ମାଧ୍ୟମରେ କୋର୍ଟକୁ ମିଛ କହୁଛନ୍ତି । ତେବେ ୨ ପକ୍ଷର ବିତର୍କ ଶୁଣିବା ପରେ ଅଦାଲତ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୦ କୁ ଘୁଞ୍ଚାଇ ଦେବାସହ ପରବର୍ତ୍ତୀ ଶୁଣାଣି ବେଳେ ଯଦି କଙ୍ଗନା କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି ।