ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ। ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ୍

393

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କାହାକୁ ଜଣାନଥାଏ । ଏଇ ଯେମିତି ସୋସିଆଲ ମିଡିଆରେ ରିଲ୍ସ ଅପଲୋଡ କରିବାର ମାତ୍ର କେଇ ମିନିଟ୍ ଭିତରେ ଦୁର୍ଘଟଣାରେ ଚାଲିଯାଇଛି ଯବାନଙ୍କ ଜୀବନ । ଗତ ୬ ତାରିଖରେ ଛୁଟିରେ ଘରକୁ ଆସିଥିବା ବିଏସଏଫ୍ ଯବାନ ଜିତେନ୍ଦ୍ର କୁମାର ପାଢୀଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରୁ ସୋରଡା ଯାଉଥିବା ବେଳେ ଏକ ଘରୋଇ ବସ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନ ଜିତେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଘରର ଏକମାତ୍ର ରୋଜଗାରିଆ ପୁଅର ଆକସ୍ମିକ ମୃତ୍ୟୁରେ ପରିବାର ଲୋକଙ୍କ ଭାଙ୍ଗିପଡିଛନ୍ତି ।

ଆସିକା କୁଶରାବ ଗାଁର ୨୫ ବର୍ଷିୟ ଜିତେନ୍ଦ୍ର କୁମାର ପାଢୀ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବଳ ତଥା ବିଏସଏଫରେ ନିଯୁକ୍ତି ପାଇ ପଞ୍ଜାବରେ ଡ୍ୟୁଟି କରୁଥିଲେ । ଛୁଟିରେ ଗାଁକୁ ଆସି ରିଲ୍ସ ମାୟାରେ ପଡିଯାଇଥିଲେ ଯବାନ । ବୁଧବାର ଅପରାହ୍ଣରେ ସୋରଡାରୁ ନଜ ଘରକୁ ଫେରୁଥିବା ବେଳେ ଏହି ରିଲ୍ସ କରିଛନ୍ତି । ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଗୋଟିଏ ହାତରେ ମୋବାଇଲ୍ ଧରି ରିଲ୍ସ କର୍ିଛନ୍ତି । ଦୁର୍ଘଟଣାରେ ତାଙ୍କର ମୃତ୍ୟୁର ଅଳ୍ପ କିଛି ସମୟ ପୂର୍ବରୁ ଏହି ରିଲ୍ସଟା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟଟି ଦେଖିବା ପରେ ଗାଡି ଚାଳନାରେ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଆଜିର ଯୁବପୀଢିଙ୍କୁ ରିଲ୍ସ ବାୟା କରିଛି । ବିଭିନ୍ନ ବିପଦସଂକୁଳ ଅବସ୍ଥାରେ ରିଲ୍ସ କରି ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେମିତି ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଶର ସୀମାକୁ ସୁରକ୍ଷା ଦେଉଥିବା ଯବାନ ଜିତେନ୍ଦ୍ର ।