କନକ ବ୍ୟୁରୋ: ସମ୍ୱଲପୁରକୁ ଡରାଉଛି କାମଳ ରୋଗ । ଦିନକୁ ଦିନ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳକୁ ଜଣ୍ଡିସ୍ ଫେରିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଛୋଟଛୋଟ ପିଲା ମଧ୍ୟ ଆକ୍ରନ୍ତ ହେବା ପରେ ଚିନ୍ତାରେ ପଡ଼ିଛନ୍ତି ମହାନଗରବାସୀ ।

Advertisment

ରବିବାର ସୁଦ୍ଧା ୭୪ରେ ଥିବା ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାରକୁ ୮୨ରେ ପହଂଚିଛି । ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ସଂକ୍ରମଣ ବଢୁଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି । ୨୦୧୪ ଭଳି ଏଥର ମଧ୍ୟ ପିଏଚଡି ପାଣିକୁ ନେଇ ସଂଦେହ ସୃଷ୍ଟି ହୋଇଛି। ପ୍ରତିଦିନ ନମୂନା ସଂଗ୍ରହ ସହ ପରୀକ୍ଷା ଚାଲିଥିବା ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ କହିଛନ୍ତି । ସଂକ୍ରମିତ ଅଞ୍ଚଳରେ ଘରଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ଚାଲିଛି । ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସଂକ୍ରମିତଙ୍କ ଠାରେ ଜଣ୍ଡିସର ଆଂଶିକ ପ୍ରଭାବ ରହିଥିବା ସମ୍ୱଲପୁର ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି । ଜଣ୍ଡିସ ମୁକାବିଲା ନେଇ ପ୍ରଶାସନ ପକ୍ଷରୁ ସଚେତନତାକୁ ଜୋର କରାଯାଉଛି ।

ପୂର୍ବରୁ କୁମ୍ଭାରପଡା, ସାଲିଆବଗିଚା, ପେନସନପଡା ଓ ଧୋବାପଡା ଅଞ୍ଚଳରୁ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ହୀରାକୁଦ କଲୋନୀରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୮୨ଜଣ ସଂକ୍ରମିତଙ୍କ ମଧ୍ୟରେ ଅଧିକ ଶିଶୁ ଅଛନ୍ତି । ସାରା ସହରକୁ କେମିତି କାମଳ ରୋଗ କବଳିକ ନକରିବ ତା ଉପରେ ଜୋର ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହେଉଛି ।