କନକବ୍ୟୁରୋ: ସମ୍ବଲପୁରରେ ଦେଖାଦେଇଛି ଜଣ୍ଡିସ ଆତଙ୍କ । ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୧୫ ବର୍ଷରୁ କମ ଥିବା ଜଣାପଡ଼ିଛି । ଗୋଟିଏ ମାସରେ ୨୫ ଜଣ ଆକ୍ରାନ୍ତ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ସହରର କୁମ୍ଭାରପଡ଼ା, ଶାଳିଆବଗିଚା, ପେନସନପଡ଼ା ସମେତ ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସ୍ୱାସ୍ଥ୍ୟକର୍ମୀ ମାନେ ଘରଘର ବୁଲି ଲୋକଙ୍କୁ ସତର୍କ କରାଉଛନ୍ତି ।

Advertisment

ସେପଟେ ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି ଡିପଥେରିଆ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତକ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗାଁର ଦିପୁନା ମେଲେକା ହୋଇଥିବା ଜଣାପଡ଼ିଛି । ଡିପଥେରିଆରେ କୋରାପୁଟ ଜିଲ୍ଲାର ଏହା ହେଉଛି ପ୍ରଥମ ମୃତ୍ୟୁ ମାମଲା । ଡିପଥେରିଆରେ ସଂକ୍ରମିତ ହେବା ପରେ କୋରାପୁଟ ମେଡିକାଲ କଲେଜରେ ଦିପୁନାଙ୍କ ଚିିକିତ୍ସାଂ ଚାଲିଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଡାକ୍ତରଙ୍କ ସବୁ ପ୍ରକାର ଚେଷ୍ଟା ପରେ ବି ଦିପୁନା ମେଲେକାଙ୍କ ମୃତ୍ୟୁ ହୋଇଛି । ସେପଟେ ଡିପଥେରିଆ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼ା କାଶୀପୁରରେ ବୁଷ୍ଟର ଡୋଜ ଦିଆଯାଉଛି । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଂଟା ଡୋଜ ଦିଆଯାଉଥିବା ବେଳେ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି । ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଂଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଂଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।