୨ ବର୍ଷର ବ୍ୟବଧାନ ପରେ ଖୋଲିଛି ଯାତ୍ରା ମଞ୍ଚ । ଏଥର ରାତିରେ ନୁହେଁ ଦିନରେ କମ୍ପୁଛି ଯାତ୍ରା ପେଣ୍ଡାଲ ।

1,978

କନକ ବ୍ୟୁରୋ : ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଖୋଲିଛି ଯାତ୍ରା ମଞ୍ଚ । କୋଭିଡ୍ ମହାମାରୀ ଯୋଗୁଁ ବନ୍ଦ ହୋଇପଡିଥିବା ଯାତ୍ରା ପୁଣି ଆରମ୍ଭ ହୋଇଛି । ଆଉ ମଞ୍ଚରେ କଳାକାରଙ୍କ ଅଭିନୟ ଦେଖି ଦର୍ଶକ ଖୁସି ଏବଂ ଦର୍ଶକଙ୍କ ମନୋରଞ୍ଜନ କରି କଳାକାର ବି ଖୁସି । କିନ୍ତୁ ଏଥର ଯାତ୍ରା ରାତିରେ ନୁହେଁ ଦିନରେ ହେଉଛି । ଯାଜପୁର ଜିଲ୍ଲା ସୁକିନ୍ଦାରେ ଦିନରେ ଯାତ୍ରା ହେଉଛି । ବହୁ ଦିନର ଅନ୍ତରରେ ପୁଣି ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ କରିବାର ଖୁସି କଳାକାରମାନଙ୍କୁ ଆନନ୍ଦ ଦେଉଛି ।

କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ହୋଇପଡିଥିଲା ଯାତ୍ରା ମଞ୍ଚ । ନିଜର ଜୀବିକା ହରାଇ ବସିଥିଲେ ହଜାର ହଜାର ଯାତ୍ରା କଳାକାର । ପାର୍ଟି ମାଲିକଙ୍କ ଠାରୁ ଆରମ୍ଭ କରି କଳାକାର ଓ ଦର୍ଶକଙ୍କ ମଧ୍ୟରେ ଦେଖାଦେଇଥିଲା ନୈରାଶ୍ୟତା । ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୂୁ ସରକାରଙ୍କ ନିକଟରେ ବହୁ ଦାବି ପରେ ଶେଷରେ ସରକାର ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏଥର ଯାତ୍ରା ରାତିରେ ନୁହେଁ ଦିନରେ ହେଉଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଯାତ୍ରା ଦେଖିବାର ସୁଯୋଗ ପାଇ ଦର୍ଶକ ଯେତିକି ଖୁସି ତାଠୁ ବେଶୀ ଖୁସି ହୋଇଛନ୍ତି ଯାତ୍ରା କଳାକାର । ଯାଜପୁର ସୁକିନ୍ଦା ବ୍ଲକ ପିମ୍ପୁଡିଆ ପଡିଆରେ ଯାତ୍ରା ପାଇଁ ପ୍ରଶାସନିକ ଅନୁମତି ମିଳିଛି । ରଙ୍ଗମହଲ ଗଣନାଟ୍ୟ ଦ୍ୱାରା ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି ଯାତ୍ରା ।

ଦୀର୍ଘ ଦିନ ପରେ କଟକଣା କୋହଳ ହେବାପରେ ଗ୍ରୀନ ରୁମରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି ଯାତ୍ରା କଳାକାର । ମୁହଁରେ ମାଖିଛନ୍ତି ରଙ୍ଗ । ମଞ୍ଚରେ ପ୍ରଦର୍ଶନ କରିଛନ୍ତି ନିଜର ଅଭିନୟ । ନାଲିନେଳି ଆଲୁଅରେ ଝଲସି ଉଠିଛି ଯାତ୍ରା ମଞ୍ଚ । ଅଭିନେତା, ଅଭିନେତ୍ରୀ ଓ ପାର୍ଶ୍ୱ ଅଭିନେତାଙ୍କ ଠାରୁ ଆରମ୍ଭ କରି ଖଳନାୟକ, କମେଡିଆନ୍ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ଯାତ୍ରା ଦେଖିବାର ସୁଯୋଗ ପାଇ ସରକାର ଏବଂ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଛନ୍ତି ଯାତ୍ରାପ୍ରେମୀ । ସରକାର ଯାତ୍ରା ପାଇଁ ଅନୂୁମତି ପ୍ରଦାନ କରିଥିବାରୁ ବରିଷ୍ଠ ଏବଂ ପେଶାଦାର ଯାତ୍ରା କଳାକାରମାନେ ଏଥପାଇଁ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ କାମନା କରିଛନ୍ତି ।