କନକ ବ୍ୟୁରୋ: ଓଲିଉଡ୍ କଳାକାରଙ୍କ କଳି ଏବେ ଜଲିଉଡ୍ ଉପରେ ପ୍ରଭାବ ପକାଇଛି । କଳିରୁ ଫାଇଦା ଉଠାଇବାକୁ କିଛି ଲୋକ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ବିଭେଦ ତିଆରି କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ଆଉ ଏତିିକି ବେଳେ ବଲାଙ୍ଗିରରେ ବନ୍ଦ ହୋଇଯାଇଛି ଯାତ୍ରା । ଯାତ୍ରାକୁ ବନ୍ଦ କରିଛି କୋଶଳ ସଂଗଠନ । ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ କଳାକାର ମଂଟୁ ଛୁରିଆ ଓ ଅଭିଜିତ ମଜୁମଦାର ଏକତାର ବାର୍ତା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓଡିଶାରୁ ବିଭିନ୍ନ ସ୍ଥାନରୁ ଆସୁଥିବା ଦୃଶ୍ୟକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ଧିରେ ଧିରେ ସତ ହେବାରେ ଲାଗିଛି । ମାତ୍ର କେତେଜଣ ସିନେ କଳାକାର ଓ ପ୍ରଯୋଜକଙ୍କ କଳି ଭିତରେ ପ୍ରଭାବିତ ହୋଇଛି ଅନ୍ୟମାନଙ୍କ ଜୀବନଜୀବିକା । ମନୋଜ ମିଶ୍ରଙ୍କୁ ସମର୍ଥନ କରିବାକୁ ଯାଇ କୋଶଳ ସଂଗଠନର ବିରୋଧ ଯୋଗୁଁ ପ୍ରଥମେ ବଳି ପଡିଛି ଯାତ୍ରା ଦୁନିଆ । ବଲାଙ୍ଗୀର ବେଲପଡାରେ ଚାଲିଥିବା ଯାତ୍ରାକୁ ବିରୋଧ ଯୋଗୁଁ ଅଧାରେ ଅଟକାଇବାକୁ ବାଧ୍ୟ ହୋଇଛନ୍ତି ଆୟୋଜକ । ସେହିପରି ଖପ୍ରାଖୋଲରେ ଆୟୋଜିତ ହେବାକୁ ଥିବା ଯାତ୍ରାକୁ ଆଗୁଆ ବାତିଲ କରି ଦେଇଛନ୍ତି ପୂଜା କମିଟି ।
କଳାକରଙ୍କ କଳି ଭିତରେ ଯାତ୍ରା ଜଗତ ପ୍ରଭାବିତ ହେବା ପରେ, ଏଭଳି ନକରିବାକୁ ଅନୁରୋଧ କରିଛନ୍ତି ଯାତ୍ରା କଳାକାର । ପୂର୍ବ- ପଶ୍ଚିମ ଓଡିଶା କଥା କହି, ବିବାଦ ନକରିବାକୁ ଅପିଲ କରିଛନ୍ତି । ଏଥିସହ ବିବାଦର ସମାଧାନ ପାଇଁ ଉଦ୍ୟମ କରିବାକୁ କହିଛନ୍ତି ।
ବିବାଦ ଭିତରେ ମୁହଁ ଖୋଲିଛନ୍ତି କଣ୍ଠଶିଳ୍ପୀ ମଂଟୁ ଛୁରିଆ । ସେ ଭିଡିଓ ଜାରି କରି ନିଜର ମତ ରଖିଛନ୍ତି । ସେହିପରି ଗୀତ ଗାଇ ଏକତାର ବାର୍ତା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପର ଅଭିଜିତ୍ ମଜୁମଦାର ।