ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର

1,699

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ । ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ପ୍ରାୟ ୩ଶହ କଳାକାର ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ତାଙ୍କୁ ରାଜନୀତି ଆଡକୁ ଟାଣି ଆଣିଛି ।

ମଞ୍ଚ ଉପରେ ଜୀବନ୍ତ ଅଭିନୟ କରି, ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା କଳାକାର, କାହାଣୀ ଅନୁସାରେ ଭୂମିକା ତୁଳାନ୍ତି । କେତେବେଳେ ନାୟକ, ତ ଆଉ କେତେବେଳେ ଖଳନାୟକ । କେତେବେଳେ ଖାକି ବର୍ଦ୍ଦି ପିନ୍ଧି ପୁଲିସ ଅଫିସର୍, ତ ଆଉ କେତେବେଳେ ଖଦି ପୋଷାକ ପିନ୍ଧି ରାଜନେତା । ଅଭିନୟ ଦୁନିଆରେ ବାସ୍ତବ ଚରିତ୍ରକୁ ଜିଉଁଥିବା ଏମିତି କିଛି କଳାକାରଙ୍କୁ ରାଜନୀତିରେ ମଞ୍ଚରେ ଦେଖିବାକୁ ମିଳିବ । କାରଣ, ଯାତ୍ରା ଦୁନିଆର କିଛି ବଛା ବଛା କଳାକାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

  • ସିନେ କଳାକାରଙ୍କ ପରେ ଯାତ୍ରା କଳାକାର
  • ବିଜୁ ଜନତା ଦଳରେ ସାମିଲ ହେଲେ ମଞ୍ଚ ଅଭିନେତା

ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପଣ୍ଡାଙ୍କ ସମେତ ୨୯ଜଣ କଳାକାର ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ସାରା ଓଡିଶାରୁ ୩ଶହ କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି କଳାକାର । ସିନେ କଳାକାରଙ୍କ ଭଳି ମଞ୍ଚ ଅଭିନୟରେ ବେଶ ସଫଳ ଓ ଲୋକପ୍ରିୟ ଏହି ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବଡ଼ କଥା ହେଉଛି, ନିର୍ବାଚନ ରାଜନୀତିରେ ସୁଯୋଗ ମିଳିଲେ, ମୈଦାନକୁ ଓହ୍ଲାଇବା ପାଇଁ ବି ଅନେକ ପ୍ରସ୍ତୁତ ।

ଅଭିନୟ ଜରିଆରେ ଲୋକଙ୍କ ପାଖରେ ପହଞ୍ଚି ପାରିଥିବା ଏବଂ ଲୋକପ୍ରିୟତା ହାସଲ କରିଥିବା ଏହି ମଞ୍ଚ କଳାକାର, ଓଡ଼ିଶାର ଘରେ ଘରେ ପରିଚିତ । ଏହି ଲୋକପ୍ରିୟତାକୁ ରାଜନୀତି ଜରିଆରେ ଜନସେବାରେ ଲଗାଇବା ପାଇଁ ଆଗେଇ ଆସିଛନ୍ତି ମଞ୍ଚ କଳାକାର । ଆଉ ଏମାନଙ୍କୁ ସୁଯୋଗ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ସ୍ୱଚ୍ଛ ଭାବମୁର୍ତିକୁ ଦୃଷ୍ଟିରେ ରଖି ବିଜେଡିରେ ସାମିଲ ହେବା ପାଇଁ ଏହି କଳାକାରମାନେ ଆଗ୍ରହ ପ୍ରକାଶ କରିଥିଲେ । ଏମିତି କି ବିଧିବଦ୍ଧଭାବେ ଦଳରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଯାହାକୁ ଅନୁମୋଦନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ମଞ୍ଚ ଅଭିନୟ ଜରିଆରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିବା ଏହି କଳାକାରଙ୍କୁ ଯଦି ସୁଯୋଗ ମିଳେ, ପ୍ରତ୍ୟକ୍ଷ ରାଜନୀତିରେ କେତେ ସଫଳ ହେଉଛନ୍ତି, ତାହା ହୁଏତ ଆଗାମୀ ଦିନରେ ଜଣାପଡ଼ିବ ।