କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର । ପୁରୁଣା ବିଲ ପାସ୍ କରାଇଦେବାକୁ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହାପରେ ଆରମ୍ଭ ହୋଇଥିଲା ଭିଜିଲାନ୍ସର ଖୋଳତାଡ । ପଦାରେ ପଡିଥିଲା ମ୍ୟାଡାମଙ୍କ ଗୋଟିଏ ପରେ ଗୋଟିଏ ଗୁମର । ଲାଞ୍ଚ ନେଉଥିବାବେଳେ ଧରାପଡିବା ପରେ ତାଙ୍କ ଅଫିସ ସହ ତାଙ୍କ ଘର ଉପରେ ଚଢଉ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ଧରାପଡିବା ପରେ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଠିକାଦାର ।
ଠିକାଦାର କହିଛନ୍ତି , ଠିକାଦାରଙ୍କ ଅଭିଯୋଗ ମୁତାବକ ମ୍ୟାଡାମ ଲାଞ୍ଚ ନେବାରେ ଧୁରନ୍ଧର ଥିଲେ। ଶ୍ରାବଣ ମାସରେ ବି ଆଇଁଷ ଖାଇବାକୁ ଜିଦ ଧରୁଥିଲେ। ବାଳକାଟି ମଟନ, ପାରାଦୀପ ଇଲିସି, ନଦୀ ଚିଙ୍ଗୁଡ଼ି ସବୁକିଛି ଠିକାଦାରଙ୍କ ଠାରୁ ମାଗୁଥିଲେ। କଥାକଥାକେ ପିସି ମାଗୁଥିଲେ। ଅଭିଯୋଗ ମୁତାବକ କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ ପାସ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା। କିନ୍ତୁ ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନକରି ବାକି ଟଙ୍କା ମାଗୁଥିଲେ। ଏଥିରେ ବିବ୍ରତ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର।
ଗତକାଲି ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଥିଲେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତି। ଟଙ୍କା ନେଉଥିବା ବେଳେ ଖଣ୍ଡଗିରି ସ୍ଥିତ ଘରେ ମାଡି ବସିଥିଲା ଭିଜିଲାନ୍ସ। ସମସ୍ତ ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଥିଲା। ଏକକାଳୀନ ୨ଟି ସ୍ଥାନରେ ରେଡ଼ କରାଯାଉଛି।