ଓମାନ ଟି-୨୦ ବିଶ୍ୱକପ ଟିମରେ ଭାରତ ପୁଅ । ପ୍ରଥମ ମ୍ୟାଚରେ ଦଳକୁ ଦେଲେ ବଡ ବିଜୟ ।

1,176

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ । ପ୍ରଥମ ମୁକାବିଲାରେ ହିଁ ଆୟୋଜକ ଓମାନ ଦମଦାର ପ୍ରଦର୍ଶନ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପପୁଆ ନ୍ୟୁ ଗିନିଆକୁ ୧୦ ୱିକେଟରେ ମାତ୍ ଦେଇ ଓମାନ ବଡ ବିଜୟ ହାସଲ କରିଛି । ଆଉ ଓମାନର ବିଜୟ ପଛରେ ଜଣେ ଭାରତୀୟ ପୁଅଙ୍କ ବଡ ଅବଦାନ ରହିଛି । ଓମାନ ପକ୍ଷରୁ ଖେଳୁଥିବା ଜତିନ୍ଦର ସିଂ ପପୁଆ ନ୍ୟୁ ଗିନିଆ ବିପକ୍ଷରେ ଦମଦାର ୭୩ ରନର ଇନିଂସ ଖେଳି ଓମାନକୁ ମ୍ୟାଚ୍ ବିଜୟୀ କରିଥିଲେ । ଓମାନ ମ୍ୟାଚ୍ ଜିତିବା ପରେ ଜତିନ୍ଦରଙ୍କୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜତିନ୍ଦର ଭାରତର ପୁଅ ହୋଇଥିବା ବେଳେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଛନ୍ତି । ତେବେ ୨୦୦୩ରୁ ଜତିନ୍ଦରଙ୍କ ପରିବାର ଓମାନରେ ରହି ଆସୁଛନ୍ତି । ଆଉ ଏବେ ଓମାନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।

ପପୁଆ ନ୍ୟୁ ଗିନିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୧୩୦ ରନର ବିଜୟଲକ୍ଷ୍ୟ ପଡିଆକୁ ଓହ୍ଲାଇଥିଲା ଓମାନ । ପ୍ରାରମ୍ଭିକ ଯୋଡି ଜତିନ୍ଦର ସିଂ ଓ ଆକିବ ଇଲିୟାସଙ୍କ ୧୩୧ ରନର ପାର୍ଟନରସିପ ବଳରେ ଓମାନ ବଡ ବିଜୟ ହାସଲ କରିଥିଲେ । ଖାସକରି ଏହି ମ୍ୟାଚରେ ଜତିନ୍ଦରଙ୍କ ବିସ୍ଫୋରକ ୭୩ ରନ୍ ଓମାନର ବିଜୟକୁ ସହଜ କରିଥିଲା । ଏହାସହ ଟି-୨୦ ବିଶ୍ୱକପରେ ଓମାନ ପକ୍ଷରୁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଦ୍ୱିତୀୟ ଖେଳାଳୀ ପାଲଟିଛନ୍ତି ଜତିନ୍ଦର ।

୩୨ ବର୍ଷୀୟ ଜତିନ୍ଦରଙ୍କ ବାପା ଗୁରମେଲ ସିଂ ରୟାଲ ଓମାନ ପୋଲିସରେ କାର୍ଯ୍ୟରତ ରହିଛନ୍ତି । ସେହିଭଳି ଜତିନ୍ଦରଙ୍କ ୩ ଭାଇଙ୍କ ମଧ୍ୟରୁ ଯଶପ୍ରୀତ ସିଂ ମଧ୍ୟ କ୍ରିକେଟ ଖେଳୁଛନ୍ତି । ଜତିନ୍ଦର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମସ୍କଟରେ ପାଠ ପଢୁଥିବା ବେଳେ ପ୍ରଥମଥର ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ଭାରତରେ ମଧ୍ୟ ଆମର ଅନେକ ସର୍ମ୍ପକୀୟ ରହିଛନ୍ତି ଓ ବେଳେ ବେଳେ ଭାରତକୁ ମଧ୍ୟ ତାଙ୍କ ପରିବାର ଆସୁଥିବା କହିଛନ୍ତି ଜତିନ୍ଦର ।

ଜତିନ୍ଦର ୨୦୧୫ରେ ଓମାନ ପକ୍ଷରୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଖେଳିବା ସହ ଡେବ୍ୟୁ କରିଥିଲେ ଜତିନ୍ଦର । ଆଉ ନିଜ କ୍ରିକେଟ କ୍ୟାରିୟରରେ ଏଯାବତ୍ ୧୯ଟି ଦିନିକିଆ ଓ ୨୯ଟି ଟି-୨୦ ମ୍ୟାଚ୍ ଖେଳିବାରେ ସକ୍ଷମ ହୋଇଛନ୍ତି ଜତିନ୍ଦର । ଦିନିକଆରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଥିବା ଜତିନ୍ଦର ଟି-୨୦ରେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।