ମୋଦୀଙ୍କୁ ଜିତନ ରାମଙ୍କ ଟ୍ୱିଟ୍ : ‘ବିହାରୀଙ୍କ ହାତରେ ଦିଅ କାଶ୍ମୀର ଦାୟିତ୍ୱ, ୧୫ ଦିନରେ ସୁଧୁରିବ ସ୍ଥିତି’

176

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ସ୍ଥିତି ଏବେ ଗମ୍ଭୀର । ଆତଙ୍କବାଦୀଙ୍କ ଟାର୍ଗେଟ କିଲିଙ୍ଗ ଫର୍ମୁଲା ସାରା ଦେଶବାସୀଙ୍କ ବ୍ୟଥିତ କରୁଛି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ରାମ ମାଂଝି ।ତାଙ୍କ କହିବା ଅନୁସାରେ, ‘ଲଗାତାର କାଶ୍ମୀରରେ ଏପରି ଜଟିଳ ପରିସ୍ଥିତି ଲାଗିରହିଥିଲେ ବି ସରକାର ଏହାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ । ପାରୁନ ଯଦି କାଶ୍ମୀର ଦାୟିତ୍ୱ ବିହାରିଙ୍କ ହାତରେ ଦେଇଦିଅ । ମାତ୍ର ୧୫ ଦିନରେ କାଶ୍ମୀରର ସ୍ଥିତି ବଦଳାଇ ଦେବୁ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୱିଟ କରିଛନ୍ତି ଜତିନ ରାମ ।

ଗତକାଲି କାଶ୍ମୀରରେ ବିହାର ଓ ଉତ୍ତରପ୍ରଦେଶର ଦୁଇ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ବେଳେ ରବିବାର ପୁଣି ଆଉ ୨ ଜଣ ରାଜ୍ୟ ବାହାରର ଲୋକଙ୍କୁ ହତ୍ୟା କରି ଆତଙ୍କ ସୃଷ୍ଟି କରିଛନ୍ତି। କୁଲଗାମ୍‌ରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିବାରୁ ବିହାରରୁ ଆସିଥିବା ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି। ସେମାନେ ହେଲେ ରାଜା ରେଶୀ ଦେବ ଏବଂ ଯୋଗୀନ୍ଦର ରେଶୀ ଦେବ। ଗତକାଲି ମଧ୍ୟ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅରବିନ୍ଦ କୁମାର ନାମକ ଜଣେ ୩୬ ବର୍ଷୀୟ ବୁଲା ବେପାରୀଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ପୁଲୱାମାରେ ଉତ୍ତରପ୍ରଦେଶର ଜଣେ ବଢ଼େଇଙ୍କୁ ମଧ୍ୟ ଆତଙ୍କବାଦୀମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ।

ଗତ କିଛି ଦିନ ଧରି ଜମ୍ମୁ କାଶ୍ମୀରରେ ଲସ୍କର ଓ ଜୈଶ ଆତଙ୍କବାଦୀ ସେମାନଙ୍କ ଆକ୍ରମଣ ତରିକା ବଦଳାଇ ଦେଇଛନ୍ତି ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଛନ୍ତି। ସାଧାରଣତଃ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ ବଢ଼ିଛି। କାଶ୍ମୀର ପଣ୍ଡିତମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଉଛି। ଫଳରେ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ କାଶ୍ମୀର ଛାଡ଼ି ପଳାଉଛନ୍ତି ବାହାର ରାଜ୍ୟରୁ ଆସି ଏଠାରେ ଶ୍ରମିକ, କୁଶଳୀ ଶ୍ରମିକ ଏବଂ ଛୋଟମୋଟ ବେପାର କରୁଥିବା ଲୋକଙ୍କୁ ଆତଙ୍କବାଦୀମାନେ ଲଗାତାର ଟାର୍ଗେଟ୍‌ କରୁଥିବାରୁ ଏଠାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଏନକାଉଣ୍ଟର ଜାରି ରହିଛି ।