କନକ ବ୍ୟୁରୋ : ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଏବେ ୨-୧ରେ ଆଗୁଆ ରହିଛି । ତେବେ ଏହି ମହାବିଜୟ ହାସଲ କରିବା ପରେ ରାଞ୍ଚିରେ ଭାରତ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ରାଞ୍ଚି ଟେଷ୍ଟରେ ଯଶପ୍ରୀତ ବୁମରା ଖେଳିନପାରନ୍ତି । ବୁମରାଙ୍କ ସ୍ଥାନରେ ମୁକେଶ କୁମାର ନଚେତ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ତେବେ ସିରିଜର ଶେଷ ମ୍ୟାଚରେ ଯଶପ୍ରୀତ ବୁମରା ପୁଣିଥରେ ଟିମକୁ କମବ୍ୟାକ୍ କରିପାରନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଶପ୍ରୀତ ବୁମରା ରାଜକୋଟରୁ ରାଞ୍ଚି ନଯାଇ ସିଧା ଅହମ୍ମଦାବାଦ ଯିବେ । ଯଶପ୍ରୀତ ବୁମରାଙ୍କୁ କିଛି ଦିନ ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଚଳିତ ସିରିଜରେ ବୁମରା ଏବେ ପର୍ଯ୍ୟନ୍ତ ୮୧ ଓଭର ବୋଲି ଭାରତ ପକ୍ଷରୁ ସର୍ବାଧିକ ୧୭ଟି ୱିକେଟ ହାସଲ କରିଛନ୍ତି । ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅନ୍ୟ କୌଣସି ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇନାହିଁ ।
ସିରିଜ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ସମସ୍ତ ୫ଟି ମ୍ୟାଚ୍ ଖେଳିବେ ନାହିଁ । ମହମ୍ମଦ ସିରାଜଙ୍କୁ ଦ୍ୱିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇଥିବା ବେଳେ ରାଜକୋଟ ମ୍ୟାଚରେ ପୁଣିଥରେ ଟିମକୁ କମବ୍ୟାକ କରିଥିଲେ । ସେହିଭଳି ମୁକେଶ କୁମାର ଦ୍ୱିିତୀୟ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ତୃତୀୟ ଟେଷ୍ଟ ମ୍ୟାଚରେ ତାଙ୍କୁ ଦଳରୁ ରିଲିଜ କରାଯାଇଥିଲା । ଏବେ ପୁଣିଥରେ ଚତୁର୍ଥ ଟେଷ୍ଟ ପାଇଁ ଦଳକୁ ଫେରିବେ ମୁକେଶ କୁମାର ।