ଭାରତ-ଇଂଲଣ୍ଡ ଚୁତର୍ଥ ଟେଷ୍ଟ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ଲେଖିଲେ ଚିଠି ।

229

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରା ନିଜଆଡୁ ଏହି ମ୍ୟାଚ ଖେଳିବେନି ବୋଲି ବିସିସିଆଇକୁ ଚିଠି ଲେଖିଛନ୍ତି । ବିସିସିଆଇ ମଧ୍ୟ ବୁମରାଙ୍କ ଏହି ଚିଠିକୁ ମଞ୍ଜୁର କରିବା ସହିତ ତାଙ୍କୁ ଚତୁର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାହାର କରିଛି । ତେବେ ସେ କେଉଁ କାରଣରୁ ଚତୁର୍ଥ ଟେଷ୍ଟରୁ ଓହରିଲେ ସେନେଇ କୌଣସି ସୂୂଚନା ମିଳିପାରିନାହିଁ ।

ଭାରତ-ଇଂଲଣ୍ଡ ଭିତରେ ଆସନ୍ତା ୪ ତାରିଖରୁ ଚତୁର୍ଥ ଟେଷ୍ଟ ଖେଳାଯିବାକୁ ଅଛି । ଏହି ମ୍ୟାଚ୍ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସିରିଜରେ ଏବେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ଥିବାରୁ ଏହି ମ୍ୟାଚ୍ ଜିତି କିମ୍ବା ଡ୍ର ରଖି ଦଳ ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି । ତେବେ ଗୁରୁତ୍ୱପୂଣ୍ଣ କଥା ହେଉଛି ବୁମରାଙ୍କ ବଦଳ ଖେଳାଳି ଭାବେ ବିିସିସିଆଇ ଆଉ କାହା ନାଁ ଘୋଷଣା କରିନି ।

ବୁମରା ଚୁତର୍ଥ ଟେଷ୍ଟରୁ ବାହାରିବା ପରେ ମହମ୍ମଦ ସିରାଜ କିମ୍ବା ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଗତ ମ୍ୟାଚ୍ ମାନଙ୍କରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସାମିଲ କରାଯିବ ବୋଲି କୁହାଯାଉଛି । ଏହି ମ୍ୟାଚକୁ ଜିତି ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।