କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ପୁଣି ଲାଗିଲା ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରା ଦଳକୁ ଫେରିବା ପରେ ପୁଣିଥରେ ଦଳରୁ ବାଦ୍ ପଡିଛନ୍ତି । ଅର୍ଥାତ, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା ।

Advertisment

ଜଶପ୍ରୀତ ବୁମରା ବର୍ତ୍ତମାନ ଗୁଆହାଟୀ ପହଞ୍ଚିନାହାଁନ୍ତି । ଯେଉଁଠି କି ଜାନୁଆରୀ ୧୦ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ୍ ଆୟୋଜିତ ହେବାକୁ ଅଛି । ତେବେ ଗତ ଜାନୁଆରୀ ୩ ତାରିଖରେ ବିସିସିଆଇ ତରଫରୁ ଦଳରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିରେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ସାମିଲ କରାଯାଇଥିଲା । ହେଲେ ଏବେ ସେ ପୁଣିଥରେ ଦଳରୁ ବାଦ୍ ପଡିଛନ୍ତି ।

ଅସଲ କଥା ହେଉଛି, ଆଗକୁ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି । ତେଣୁ ବିସିସିଆଇ ବୁମରାଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି । ଏହି କାରଣରୁ ଶେଷ ମୁହୂର୍ତ୍ତରେ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ଜାଣିରଖିବା ଉଚିତ୍ ଯେ, ରିଷଭ ପନ୍ତ ଦୁର୍ଘଟଣାଗ୍ରସ୍ତ ହେବା ପରେ, ସେ ବିଶ୍ୱକପରେ ସାମିଲ ହୋଇପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଏପରି ସ୍ଥିତିରେ ବିସିସିଆଇ ଅନ୍ୟ ଖେଳାଳିଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି ।

ସୂଚନାଯୋଗ୍ୟ ଯେ, ଜଶପ୍ରୀତ ବୁମରା ୨୦୨୨ ମସିହା ସେପ୍ଟେମ୍ବର ମାସରୁ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପରେ ସେ ଆଉ କୌଣସି ବି ମ୍ୟାଚ୍ ଖେଳିନାହାଁନ୍ତି । ଏମିତି କି ଆହତ ଜନିତ ସମସ୍ୟା କାରଣରୁ ବୁମରା ଏସିଆ କପ୍ ଓ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡିଥିଲେ ।