କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ସବୁ ଟିମ୍ ଏବେ ଏଥିପାଇଁ ନିଜର ପ୍ରାକ୍ଟିସ୍ ସେସନ୍ ଆରମ୍ଭ କରିଦେଇଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ଆସିଛି ଏକ ଖରାପ ଖବର । ମିଳିଥିବା ସୂଚନା ମୁତାବକ ଦଳର ଷ୍ଟାର ବୋଲର ଜଶପ୍ରୀତ ବୁମରା ଆହତ ଜନିତ କାରଣ ହେତୁ ଏଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳିନପାରନ୍ତି ।

Advertisment

ସୂଚନା ମୁତାବକ, ୨୯ ବର୍ଷୀୟ ଏହି ଦ୍ରୁତ ବୋଲର ଲଗାତାର ନିଜ ପିଠି ଯନ୍ତ୍ରଣାକୁ ନେଇ ଅସୁବିଧାରେ ଅଛନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଏହି କାରଣରୁ ଅନେକ ଇଣ୍ଟରନ୍ୟାସନାଲ ମ୍ୟାଚ୍ ବି ଖେଳିପାରିନଥିଲେ । ହେଲେ ଏବେ ବୁମରା ନିଜ ପିଠିରେ ସର୍ଜରୀ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଯେଉଁ କାରଣରୁ ସେ ଆଇପିଏଲ୍ ୨୦୨୩ରୁ ବାଦ୍ ପଡିପାରନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜସପ୍ରୀତ ବୁମରା କେବଳ ଆଇପିଏଲ୍ ନୁହେଁ, ବରଂ ଏହାପରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରୁ ମଧ୍ୟ ବାହାରେ ରହିବେ । ତେଣୁ ଯଦି ଏପରି ହୁଏ, ତେବେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଟିମ୍ ଇଣ୍ଡିଆକୁ ମଧ୍ୟ ଏକ ବଡ ଝଟକା ଲାଗିପାରେ ।

ସୂଚନାଯୋଗ୍ୟ ଯେ, ଭାରତୀୟ ଟିମ୍ ଏବେ ଅଷ୍ଟ୍ରେଲିଆ ବିରୋଧରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ଏହି ସିରିଜରେ ମଧ୍ୟ ଜସପ୍ରୀତ ବୁମରା ଦଳଠୁ ବାହାରେ ରହିଛନ୍ତି । ତେବେ ଆଇପିଏଲରୁ କେବଳ ବୁମରା ନୁହଁନ୍ତି, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦୂରେଇ ପାରନ୍ତି ବୋଲି ସୂଚନା ମିଳୁଛି । ଯାହା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ ଝଟକା ହୋଇପାରେ ।