ଭାରତୀୟ ଜର୍ସି ପିନ୍ଧି ପଡିଆକୁ ବୋଲିଂ କରିବାକୁ ପଶିଥିଲେ, ଗିରଫ କଲା ଇଂଲଣ୍ଡ ପୋଲିସ ।

535

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ପୁଣି ଚର୍ଚ୍ଚାକୁ ଆସିଥିଲେ ଜ୍ରାଭୋ ୬୯ । ସୁରକ୍ଷାବଳୟକୁ ଭେଦ କରି ଜ୍ରାଭୋ ପଡିଆ ଭିତରକୁ ପଶିବା ସହ ବୋଲିଂ ଆକ୍ସନ କରିଥିଲେ । ଏହି ସମୟରେ ଇଂଲଣ୍ଡର ବ୍ୟାଟସମ୍ୟାନ ଜନି ବାୟୋରଷ୍ଟେଙ୍କୁ ଧକ୍କା ଦେଇଥିଲେ ଜ୍ରାଭୋ । ଆଉ ଏହାପରେ ଜ୍ରାଭୋଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଇସିବି ପକ୍ଷରୁ କୁହାଯାଇଛି ଯେ, ପଡିଆ ମଝିରେ କୌଣସି ଅବରୋଧ ଗ୍ରହଣୀୟ ନୁହେଁ, ଯାହା ଖେଳାଳି, ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିବ ।

ଏହାପୂର୍ବରୁ ଲଗାତାର ଦୁଇଥର ପଡିଆ ମଝିରେ ଅଚାନକ ପଶିଛନ୍ତି ଜ୍ରାଭୋ । ଆଉ ଶୁକ୍ରବାର ପୁଣିଥରେ ପଡିଆରେ ପଶିଥିଲେ ଜ୍ରାଭୋ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ପଡିଆରେ ପଶିବା ସହ ବୋଲିଂ ଆକ୍ସନ କରିଥିଲେ ଜ୍ରାଭୋ । ସେହିପରି ତୃତୀୟ ଟେଷ୍ଟର ତୃତୀୟ ଦିନରେ ମଧ୍ୟ  ରୋହିତ ଶର୍ମା ଆଉଟ ହେବା ପରେ ପଡିଆକୁ ଭାରତୀୟ ଟିମର ଜର୍ସି ପିନ୍ଧି ପହଞ୍ଚିଥିଲେ ଜ୍ରାଭୋ । ମ୍ୟାଚର ୪୮ତମ ଓଭରରେ ପ୍ୟାଡ, ହେଲମେଟ, ଗ୍ଲୋଭସ ପିନ୍ଧି ବ୍ୟାଟିଂ କରିବାକୁ ପହଞ୍ଚିଥିଲେ ଜ୍ରାଭୋ । ଆଉ ପଡିଆ ମଝିରେ ଜ୍ରାଭୋଙ୍କୁ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ମଧ୍ୟ ହୋଇଯାଇଥିଲେ । ତେବେ କିଛି ସମୟ ମଧ୍ୟରେ ସୁରକ୍ଷାକର୍ମୀ ପହଞ୍ଚି ଜ୍ରାଭୋଙ୍କୁ ଗ୍ରାଉଣ୍ଡ ବାହାରକୁ ନେଇଥିଲେ ।

ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପଡିଆରେ ହଠାତ୍ ଜ୍ରାଭୋଙ୍କର ଆର୍ବିଭାବ ହୋଇଥିଲା । ତାଙ୍କର ଆଚରଣ ପୂରା ଖେଳାଳୀଙ୍କ ପରି ରହିଥିଲା । ଭାରତୀୟ ଖେଳାଳୀ ଯେଉଁଠି ଛିଡା ହୋଇଥିଲେ ସେଠାରେ ପହଞ୍ଚି  ଜ୍ରାଭୋ ଫିଲ୍ଡିଂ କରିବା ଭଳି ଛିଡା ହୋଇଥିଲେ । ତେବେ ସୁରକ୍ଷାକର୍ମୀ ତାଙ୍କୁ ପଡିଆ ବାହାରକୁ ଯିବାକୁ କହିବାରୁ ଭାରତର ଜର୍ସି ଦେଖାଇ ନିଜକୁ ଭାରତୀୟ ଖେଳାଳୀ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ ଜ୍ରାଭୋ । ଆଉ ଜ୍ରାଭୋଙ୍କ ଏଭଳି ଭାବଭଙ୍ଗୀ ଦେଖି ଜାଡେଜା ଓ ସିରାଜ ମଧ୍ୟ ନିଜ ହସ ରୋକି ପାରିନଥିଲେ ।