ବିଦେଶୀଙ୍କ ସହ ଅସଦାଚାରଣ, ରଙ୍ଗ ଲଗାଇବା ବାହାନାରେ ଯୌନ ଉତ୍ପୀଡନ । ଆକ୍ସନରେ ଦିଲ୍ଲୀ ପୋଲିସ, ୩ ଅଭିଯୁକ୍ତ ଗିରଫ ।

173

କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲି ଓ ବିଶ୍ୱ ମହିଳା ଦିବସରେ ଦିଲ୍ଲୀରୁ ଏମିତି ଏକ ଭିଡିଓ ଆସିଥିଲା, ଯାହା ସମସ୍ତଙ୍କୁ ହତବାକ୍ କରି ରଖିଦେଇଥିଲା । ରଙ୍ଗ ଲଗେଇବାର ବାହାନାରେ ଜଣେ ବିଦେଶୀ ଯୁବତୀଙ୍କୁ ଅସଦାଚାରଣ କରିଥିଲେ କିଛି ଯୁବକ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାରେ ଏବେ ଦିଲ୍ଲୀ ପୋଲିସ ଆକ୍ସନ ନେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦିଲ୍ଲୀ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତକୁ ଗିରଫ କରି ନିଜ ହେପାଜତରେ ରଖିଛି । ମିଡିଆ ରିପୋର୍ଟସ୍ ମୁତାବକ, ହୋଲି ଦିନ ଏହି ଅଭିଯୁକ୍ତମାନେ ଜାପାନର ଜଣେ ମହିଳାଙ୍କୁ ଅସଦାଚାରଣ କରିବା ସହିତ ରଙ୍ଗ ଲଗାଇଥିଲେ । ଦିଲ୍ଲୀ ପୋଲିସର କହିବା ମୁତାବକ, ପର୍ଯ୍ୟଟକ ଜଣକ ଦିଲ୍ଲୀର ପହାଡଗଞ୍ଜରେ ରହିଥିଲେ । ତିନି ଜଣ ଅଭିଯୁକ୍ତ ମଧ୍ୟ ସେହି ଅଞ୍ଚଳର । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ନାବାଳକ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମାମଲାରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳା ଜଣକ କୌଣସି ଅଭିଯୋଗ କରିନାହାଁନ୍ତି । ଏମିତିକି ଗତକାଲି ସେ ଭାରତ ଛାଡିବା ସହିତ ବାଂଲାଦେଶ ଚାଲିଯାଇଛନ୍ତି । ଟ୍ୱିଟ୍ କରି ସେ ଏବେ ମାନସିକ ଓ ଶାରିରୀକ ରୂପେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋସିଆଲ୍ ମିଡିଆରେ ହୋଲି ଦିନ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଣ୍ଟିଥିଲା । ଏହି ଭିଡିଓରେ କିଛି ଯୁବକ ମିଶି, ଜଣେ ବିଦେଶୀ ମହିଳାଙ୍କୁ ରଙ୍ଗ ଲଗାଉଥିବା ଦେଖିବାକୁ ମିଳୁଥିବାବେଳେ । ଯୁବକମାନେ ବିଦେଶୀ ମହିଳାଙ୍କ ସହିତ ଅସଦାଚାରଣ କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସୋସିଆଲ୍ ମିଡିଆରେ ଦେଖିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଦିଲ୍ଲୀ ପୋଲିସ ଏହି ଘଟଣାରେ ଆକ୍ସନ ନେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ।