କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେବା ପରେ ଚିକିତ୍ସା ଚାଲିଛି । ଔଷଧ ଦେଇ କିଛି ହେବ ନାହିଁ ବୋଲି ଡାକ୍ତର କହୁଛନ୍ତି । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସହପାଠୀ ଆଖି ବୁଜିବା ପରେ ଛାତ୍ରୀମାନେ ଭୟରେ ଜଡସଡ ହୋଇଯାଉଛନ୍ତି । ସୋର ପୌରପାଳିକା ପୁରୁବାଇ କନ୍ୟାଶ୍ରମରେ ୨୬ ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସୋର ମେଡିକାଲ ଓ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଛାତ୍ରୀଙ୍କ ଜ୍ୱର ସହ ମୁଣ୍ଡ ବିନ୍ଧା, ଥକ୍କା ଲାଗିବା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି ।

ବାଲେଶ୍ୱର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଧିନ ଅନ୍ତେବାସୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଅନ୍ତେବାସୀଙ୍କୁ ଜାପାନୀ ଜ୍ୱର ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଧିକ ତଦନ୍ତର ଆବଶ୍ୟକ ଥିବା କହିଛନ୍ତି ।

ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଘଟଣାକୁ ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ କନ୍ୟାଶ୍ରମର ପରିବେଶ ଓ ପାଣିର ସମସ୍ୟା ଥିବାରୁ ତୁରନ୍ତ ସମାଧାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ ।