କନକ ବ୍ୟୁରୋ : ପ୍ରଥମେ ଭୂମିକମ୍ପ ପରେ ସୁନାମି । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଥରି ଉଠିଲା ଜାପାନ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସୋମବାର ଜାପାନ୍ରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ସର୍ବାଧିକ ତୀବ୍ରତା ୭.୪୬ ରେକର୍ଡ ହୋଇଛି । ଏହାପରେ ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ମାଡି ଆସୁଥିବା ଦେଖିବାକୁ ମିଳିଛି    । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।

Advertisment

ସମୁଦ୍ରରେ ଭୂମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭିର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୀୂମମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି । ଏହାପରେ ପାଖାପାଖି ୩୪ହଜାର ଘରର ବିଜୁଳି କଟି ଯାଇଛି । ମଧ୍ୟ ଜାପାନ୍ର ପ୍ରମୁଖ ରାଜରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଅନେକ ଘର ଭୂକମ୍ପରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପାଇଁ ରେଳ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ତେବେ ମୃତାହତଙ୍କ ସଠିକ୍ ସୂଚନା ବର୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଜାପାନରେ ଭୂକମ୍ପ ପରେ ସତର୍କ ହୋଇ ପଡିଛି ଭାରତୀୟ ଦୂତାବାସ । ଜାପାନ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳିନ ନମ୍ବର ଜାରି କରିଛି । ଏଥିସହ ଏମରଜେନ୍ସି କଂଟ୍ରୋଲ ରୁମ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି ଅସୁବିଧା ହେଲେ ଏହି ଜରୁରୀକାଳିନ ନମ୍ବରରେ ସମ୍ପର୍କ କରିବାକୁ ଭାରତୀୟଙ୍କୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚାଇ ଦିଆଯାଇଛି । ତେବେ ଜାପାନ୍ରେ ଭୂକମ୍ପ ପରେ ସୁନାମି କିଛି ନୂଆ କଥା ନୁହେଁ । ମାର୍ଚ୍ଚ୧୧, ୨୦୧୧ରେ ଉତର-ପୂର୍ବ ଜାପାନରେ ଭୟଙ୍କର ଭୂକମ୍ପ ପରେ ସୁନାମି ଆସିଥିଲା । ସେହି ପ୍ରଳୟରେ ୨୦ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ ।