କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ବିହାରରେ ପ୍ରତିଦିନ ବଦଳୁଛି ରାଜନୈତିକ ସମୀକରଣ । ଏହାଭିତରେ ପୁଣି ବଳ ଗୋଟାଇଛି ଇଣ୍ଡିଆ ମେଣ୍ଟ । ପପୁ ଯାଦବ ଜନ ଅଧିକାର ପାର୍ଟିକୁ କଂଗ୍ରେସ ବିଲୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଅନ୍ୟ ଜେଏପି ନେତାଙ୍କ ସହ ପପୁ ଯାଦବ କଂଗ୍ରେସରେ ସାମିଲ ହେବେ । ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ସକାଳୁ ପପୁ ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ପପୁ ନିଜ ପାର୍ଟିକୁ କଂଗ୍ରେସରେ ବିଲୟ କରିବେ ।

Advertisment

କଂଗ୍ରେସରେ ନିଜ ଦଳକୁ ବିଲୟ କରିବା ପରେ ପପୁ ଯାଦବ ପୂର୍ଣ୍ଣିଆ ଆସନରୁ ଲଢିପାରନ୍ତି । କଂଗ୍ରେସ ନେତାଙ୍କୁ ଭେଟିବା ପରେ ପପୁ କହିଛନ୍ତି, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପରାମର୍ଶକ୍ରମେ ଜେଏପି ଦଳକୁ କଂଗ୍ରେସରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ତେଜସ୍ୱୀ ଯାଦବ ଓ ମୁଁ ମିଶିକରି ନୀତିଶ କୁମାର ଓ ମୋଦୀଙ୍କୁ ହରାଇବୁ । ଲାଲୁ ପ୍ରସାଦ ଯାଦବଙ୍କ ସହ ମୋର ରାଜନୈତିକ ସମ୍ପର୍କ ନୁହେଁ ବରଂ ପାରିବାରିକ ସମ୍ପର୍କ । ଆମେ କେବେ ମଧ୍ୟ ଅଲଗା ହୋଇନାହୁଁ । ଗତ ୧୭ ମାସରେ ତେଜସ୍ୱୀ ଯେଉଁଭଳି ବିକାଶ କରିଛନ୍ତି ତାହା ଦେଖି ମୋର ବିଶ୍ୱାସ ବଢିଛି । ରାହୁଲ ଗାନ୍ଧୀ ଲୋକଙ୍କ ହୃଦୟ ଜିଣିଛନ୍ତି । ୨୦୨୪ ଓ ୨୦୨୫ ନିର୍ବାଚନରେ ଆମେ ବିଜୟୀ ହେବୁ । ଦେଶର ହୃଦୟ ଯିଏ ଜିତିବ ସିଏ ପ୍ରଧାନମନ୍ତ୍ରୀ ହେଉ ।