କନକ ବ୍ୟୁରୋ : ଚଳଚଂଚଳ ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏକ ପ୍ରକାର ରାମମୟ ହୋଇପଡିଛି । ଜୟ ଶ୍ରୀରାମ ନାରା ଦେଇ ଶ୍ରଦ୍ଧାଳୁ ଏବେ ପ୍ରଭୁ ରାମଙ୍କୁ ସ୍ମରଣ କରିବା ଆରମ୍ଭ କରିଛନ୍ତି । ଆଉ ଗୁରୁବାର ଗର୍ଭ ଗୃହରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ରାମଲଲା । ମନ୍ତ୍ର ଉଚ୍ଚାରଣ ସହିତ ପାଖାପାଖି ୪ ଘଂଟା ପରେ ଗର୍ଭ ଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଏହାରି ଭିତରେ କେନ୍ଦ୍ର ସରକାର ଏକ ଚିଠି ଜାରି କରିଛନ୍ତି । ଯେଉଁଥିରେ ୨୨ ତାରିଖ ଦିନ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ ବୋଲି ଘୋଷଣା ହୋଇଛି । ଅର୍ଥାତ ଅଧା ଦିନ କେନ୍ଦ୍ର ସରକାରଙ୍କ ସମସ୍ତ ସଂସ୍ଥା ଅଧା ଦିନ ଛୁଟି ରହିବ । ଏହାରି ଭିତରେ ଅନେକ ରାଜ୍ୟରେ ମଧ୍ୟ ଛୁଟି ଘୋଷଣା ପାଇଁ ଦାବି ହୋଇଆସୁଛି । ଓଡିଶା ସରକାରଙ୍କୁ ସେହି ଦିନ ଛୁଟି ଘୋଷଣା କରିବାକୁ ଦାବି କରି ଆସୁଛି ରାଜ୍ୟ ବିଜେପି । ଏହାରି ଭିତରେ ଛତିଶଗଡ, ମଧ୍ୟପ୍ରଦେଶ, ଗୋଆ, ହରିଆଣା, ଉତ୍ତର ପ୍ରଦେଶ ସରକାର ୨୨ରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ।

Advertisment

ଅଯୋଧ୍ୟାରେ ତିଆରି ଚାଲିଥିବା ଏହି ଭବ୍ୟ ମନ୍ଦିର ତିଆରିରେ ଯୋଡି ହୋଇଛନ୍ତି ଓଡିଆ । ମନ୍ଦିର ଆଖପାଖରେ ବିଭିନ୍ନ କାରୁ କାର୍ଯ୍ୟ ତିଆରି ହୋଇଛି । ଯାହାକୁ ଜୀବନ୍ତ କରି ପଥରରେ ତୋଳାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ବାଲେଶ୍ୱରର ୪୦ରୁ ଅଧିକ କାରିଗର । ଆଠ ମାସ ହେବ ନିର୍ମାଣ କାମରେ ନିୟୋଜିତ ଥିଲେ । ଏବେ କିନ୍ତୁ ଛୁଟିରେ ଘରକୁ ଆସିଛନ୍ତି । ଆଉ ମନ୍ଦିର ତିଆରି କଥା ବଖାଣି ହୋଇଯାଇଛନ୍ତି ଭାବବିହ୍ୱଳ । ସେହିପରି ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତି ତିଆରି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ । ଗଂଜାମ ଜିଲ୍ଲାର କୁକୁଡ଼ା ଖଣ୍ଡି ବ୍ଲକ ବୋରି ଗାଁର ନାରାୟଣ ସାହୁ ଓ କଟକ ଆଠଗଡ଼ର ଓମ୍ ପ୍ରକାଶ ବାରିକ ୨୫ ଫୁଟ ଲମ୍ବ ଓ ସାଢ଼େ ୭ ଫୁଟ ଉଚ୍ଚତାର ଶ୍ରୀରାମଙ୍କ ମୂର୍ତି ତିଆରି କରିଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମ୍ବଲପୁରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ୧ ଲକ୍ଷ ୨୭ ହଜାର ଲଡୁ ବାଂଟିବାକୁ ପ୍ରସ୍ତୁତି ଚାଲିଛି । ଏଥିପାଇଁ କାମରେ ଲାଗିପଡିଛନ୍ତି କାରିଗର । ଧାର୍ଯ୍ୟ ସମୟ ପୂର୍ବରୁ କିଭଳି କାମ ସରିବ ତାହା ଏବେ ଚ୍ୟାଲେଂଜ ।