ରାଜ୍ୟବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ: କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତା କର୍ଫ୍ୟୁକୁ ମିଳିଛି ସମର୍ଥନ; ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଅସମ୍ଭବ ପ୍ରକାରର ନିରବତା

826

କନକ ବ୍ୟୁରୋ: ସାରା ରାଜ୍ୟରେ ଅଭୁତପୂର୍ବ ଭାବେ ପାଳନ କରାଯାଉଛି ଜନତା କର୍ଫ୍ୟୁ । କଟକରୁ କୋରାପୁଟ, ପୁରୀରୁ ମାଲକାନଗିରି ସବୁଠି ଜନତା କର୍ଫ୍ୟୁକୁ ମିଳିଛି ସମର୍ଥନ । ଓଡିଶାବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ରାଜ୍ୟବ୍ୟାପି ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିବ ।

ତେବେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡିଶାରେ ମଧ୍ୟ ଜୋରଦାର ସମର୍ଥନ କରିଛନ୍ତି ଜନସାଧାରଣ । ରାଜଧାନୀ ଭୁବନେଶ୍ୱରରେ ଲୋକେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଲୋକେ ଘରୁ ନବାହାରି ନଜେ ବନ୍ଦୀ ରହି କରୋନାକୁ କାବୁ କରିବାକୁ ଅଂଟା ଭିଡିଛନ୍ତି । ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ରହିଛି । ଗାଡି ମଟର ଯାତାୟତ ବନ୍ଦ ରହିଛି । ତେବେ ରାସ୍ତାରେ କିଛି ଲୋକ ବାଇକରେ ଯାଆସ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ପୋଲିସ ଅଟକାଇ ସରକାରଙ୍କ ଗାଇଡଲାଇନ ମାନି ସଚେତନ ରହିବାକୁ ବୁଝାଉଛନ୍ତି ।

ସେହିଭଳି ହାରିବ କରୋନା ଜିତିବ ଭାରତ । ସୁସ୍ଥ ରହିବେ ଭାରତ ବାସୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଆଠଗଡର ବିଭିନ୍ନ ଅଂଚଳରେ ଦୋକାନ ବଜାର ବନ୍ଦ ରହିଛି । ପ୍ରାୟ ସମସ୍ତ ଅଂଚଳରେ ଲୋକେ ନିଜକୁ ସାମିଲ କରି ବାହାରକୁ ନବାହାରି ଘରେ ରହିଛନ୍ତି । କିଛି ତେଜରାତି ଦୋକାନ ଓ ମାଛ, ମାଂସ ବିକ୍ରି କରୁଥିବା ଦୋକାନକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିଛି । ସାଧାରଣ ଲୋକଙ୍କ ଭିଡ ଜମିଥିବାବେଳେ ବଜାର ଘାଟ ଖାଁ ଖାଁ ଲାଗୁଛି । ରାସ୍ତାଘାଟ, ଦୋକାନବଜାର, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନଗୁଡିକରେ ଅସମ୍ଭବ ପ୍ରକାରର ନିରବତା ଦେଖିବାକୁ ମିଳିଛି । କାଁ ଭାଁ ଲୋକେ ଯାଆସ କରୁଛନ୍ତି ।

ଏପରିକି ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ଜନତା କର୍ଫ୍ୟୁକୁ ଲୋକେ ପୂର୍ଣ୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଯେଉଁଠି ରାତି ପାହିଲେ ହଜାର ହଜାର ଲୋକଙ୍କ ଗହଳି ଲାଗେ ସେହି ବଡଦାଣ୍ଡରେ ମୋଦିଙ୍କ ଜନତା କର୍ଫ୍ୟୁକୁ ଲୋକେ ସମର୍ଥନ ଜଣାଇ ଘରୁ ବାହାରି ନାହାଁନ୍ତି । କରୋନା ମୁକାବିଲା ପାଇଁ ଲୋକେ ସହଜରେ ଏହାକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୂନଶାନ୍ ହୋଇପଡିଛି ।

କଟକରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ପ୍ରଭାବ । ସବୁଦିନ ଚଳଚଂଚଳ ରହୁଥିବା କଟକ ବାଦାମବାଡି ବସଷ୍ଟାଣ୍ଡ ପୁରା ଶୂନଶାନ ରହିଛି । ସେହିପରି କେନ୍ଦ୍ରାପଡାରେ ଉଭୟ ଜନତା କର୍ଫ୍ୟୁ ଓ ରାଜ୍ୟ ସରକାରଙ୍କ ତାଲା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କେହି ଘରୁ ପଦାକୁ ବାହାରୁ ନାହାଁନ୍ତି । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସମର୍ଥନ କରିଛନ୍ତି ଜନତା ।

ମାଲକାନଗିରି ଜିଲ୍ଲାରେ ଯଦିଓ ଲକ ଡାଉନ ଘୋଷଣା ହୋଇ ନାହିଁ ତେବେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏଠାରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାବାସୀ । ନିଜ ନିଜ ଘରେ ରହି ଏହି ଜନତା କର୍ଫ୍ୟୁକୁ ସମର୍ଥନା ଜଣାଇଛନ୍ତି ଉପାନ୍ତ ଅଂଚଳରେ ଲୋକେ । ଜିଲ୍ଲାର ସମସ୍ତ ମୁଖ୍ୟ ରାସ୍ତା ଏବେ ଖାଁ ଖାଁ ରହିଛି । ଦୋକାନା ବଜାର, ବସ ଚଳାଚଳ ସବୁ ବନ୍ଦ ରହିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଏହା ଏକ ବଡ ଆହ୍ୱାନ ବୋଲି ଗ୍ରହଣ କରି ଦେଶବାସୀ ଏହାକୁ ଗ୍ରହଣ କରିଛନ୍ତି । ସୁନ୍ଦରଗଡବାସୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନଙ୍କୁ ସମର୍ଥନ ଜଣାଇଛନ୍ତି । ସହରର ରାସ୍ତାଘାଟ ସବୁ ଶୂନଶାନ ରହିଛି । ଦୋକାନ ବଜାର ବନ୍ଦ ରହିଛି ।